ନକଲି ତେଲ କାରଖାନାରେ ଚଢ଼ାଉ ଘଟଣା, ମାଲିକ ଗିରଫ

ଟାଙ୍ଗୀ(କଟକ),୨୩ା୧(ଡି.ଏନ୍‌.ଏ.): ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଅଞ୍ଚଳରେ ଗତ ନଭେମ୍ବର ୨୩ ତାରିଖରେ ପୋଲିସ ପକ୍ଷରୁ ଏକ ଖାଇବା ତେଲ କାରଖାନାରେ ଚଢ଼ାଉ କରାଯାଇଥିଲା। ଖାଇବା ତେଲ ଅପମିଶ୍ରଣ ସମ୍ପର୍କରେ ପ୍ରମାଣ ମିଳିବା ପରେ ବୁଧବାର ଟାଙ୍ଗୀ ପୋଲିସ ସମ୍ପୃକ୍ତ କାରଖାନାର ମାଲିକ ଗୋପାଳ ଗୁପ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ମଙ୍ଗୁଳି ଅଞ୍ଚଳରେ ଦୀର୍ଘବର୍ଷ ହେବ ଗଜାନନ୍ଦ ନାମକ ଅପମିଶ୍ରିତ ଖାଇବା ତେଲ କାରଖାନା ପରିଚାଳିତ ହେଉଥିଲା। ବିଭିନ୍ନ କମ୍ପାନୀ ନାମରେ ତେଲ ପ୍ୟାକିଂ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଥିଲା। ଏ ସମ୍ପର୍କରେ ସ୍ଥାନୀୟ ଆଇନଜୀବୀ ଚିତ୍ତରଞ୍ଜନ ସାମଲଙ୍କ ସମେତ କେତେଜଣ ବ୍ୟକ୍ତି ଗତ ନଭେମ୍ବର ମାସରେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ନଭେମ୍ବର ୨୩ ତାରିଖରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ପି.କେ.ଜେନା, ଉପଖଣ୍ଡ ପୋଲିସ ଅଧିକାରୀ ପି.କେ.ମଲ୍ଲ ଓ ଆଇଆଇସି ପଦାରବିନ୍ଦ ତ୍ରିପାଠୀ ଉକ୍ତ କାରଖାନା ଉପରେ ଚଢ଼ାଉ କରିଥିଲେ। ତେବେ ମାଲିକ ଗୁପ୍ତା ସବୁ ଠିକ୍‌ ଥିବା କାଗଜପତ୍ରରେ ଦର୍ଶାଇଥିଲେ। କିନ୍ତୁ ପୋଲିସ ଗୋଦାମକୁ ସିଲ କରି ଗଚ୍ଛିତ ଖାଇବା ତେଲ ନମୁନା ସଂଗ୍ରହ କରି ଯାଞ୍ଚ ନିମନ୍ତେ କେନ୍ଦ୍ରୀୟ ଲାବୋରେଟୋରିକୁ ପଠାଇଥିଲା। ଯାଞ୍ଚରୁ ତେଲ ଅପମିଶ୍ରଣ ସମ୍ପର୍କରେ ପ୍ରମାଣ ମିଳିବା ଓ କାଗଜପତ୍ର ଜାଲିଆତିକରି ବେଆଇନ ଭାବେ କାରଖାନା ପରିଚାଳନା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ଏକ ମାମଲା(ନଂ.୧୧/୨୦)ରୁଜୁକରି ସମ୍ପୃକ୍ତ କାରଖାନାର ମାଲିକ ଗୁପ୍ତାଙ୍କୁ ଗିରଫ କରିଥିଲା।

Share