ନକଲି ବନ୍ଧୁକ ଦେଖାଇ ପ୍ରେମ ନିବେଦନ: ଯୁବକଙ୍କୁ କାବୁକରି ନିସ୍ତୁକ ମାଡ଼ ପରେ ପୋଲିସ ଜିମା

ସମ୍ବଲପୁର,୧୩।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଟାଉନ ଥାନା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଛକଠାରେ ଶୁକ୍ରବାର ଏକ ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ କଲେଜ ଛାତ୍ରୀଙ୍କୁ ନକଲି ବନ୍ଧୁକ ଦେଖାଇ ପ୍ରେମ ନିବେଦନ କରିଥିଲେ । ଉଭୟଙ୍କ କିଛି ସମୟ ଯୁକ୍ତିତର୍କ ହେବା ପରେ ସ୍ଥାନୀୟଲୋକେ ପହଞ୍ଚି ଯୁବକଙ୍କୁ କାବୁ କରିଥିଲେ। ଯୁବକଙ୍କୁ ମାଡ଼ ମାରିବା ସହ ଟାଉନ ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଯୁବକଙ୍କୁ ଥାନାରେ ଅଟକ ରଖିଛି। ତାଙ୍କ ପାଖରୁ ଏକ ନକଲି ବନ୍ଧୁକ ଜବତ କରାଯାଇଛି। ଛାତ୍ରୀଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇ ନ ଥିବାରୁ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ଯୁବକ ଜଣକ କେନ୍ଦ୍ରାପଡ଼ା ଜିଲାର ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ କହିଛି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ମଧ୍ୟାହ୍ନରେ ଯୁବକ ଜଣକ କଲେଜ ପରିସରକୁ ଯାଇ ପ୍ରେମ ନିବେଦନ କରିଥିଲେ। ଛାତ୍ରୀ ଜଣକ ମନା କରିବାରୁ କଲେଜ ବାହାରେ ଅପେକ୍ଷା କରି ଏଭଳି କାଣ୍ଡ କରିଥିଲେ।