ନକଲି ମଦ କାରଖାନା ଠାବ, ୪ ଅଟକ

ଦିଗପହଣ୍ଡି,୭ା୯(ଡି.ଏନ୍‌.ଏ.)- ଦିଗପହଣ୍ଡି ପୋଲିସ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ କୈଠଖଣ୍ଡି ପଞ୍ଚାୟତ ବିରପାଟଣା ଗ୍ରାମ ନିକଟ ଏକ କୁକୁଡ଼ା ଫାର୍ମ ଭିତରେ ଚାଲିଥିବା ନକଲି ବିଦେଶୀ ମଦ କାରଖାନା ଉପରେ ଚଢାଉ କରିଛି। ଏଠାରୁ ବିପୁଳ ପରିମାଣର ହାତ ରନ୍ଧା ଦେଶୀ ମଦ, ପ୍ୟାକିଂ ମେଶିନ, ବିଭିନ୍ନ ବ୍ରାଣ୍ଡର ଖାଲି ମଦ ବୋତଲ, ଲେବୁଲ, କେମିକାଲ, ସ୍ପିରିଟ ଭର୍ତ୍ତି ପ୍ଲାଷ୍ଟିକ ଜାରକିନ ଜବତ କରିଛନ୍ତି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଥିବା ଆଇଆଇସି ବସନ୍ତ କୁମାର ସେଠୀ ଜଣାଇଛନ୍ତି। ପୋଲିସ ପକ୍ଷରୁ ଥାନା ମାମଲା ନଂ.୧୭୫/୧୯ ଅନୁଯାୟୀ ମୋକଦ୍ଦମା ରୁଜୁ କରାଯାଇଛି। ତଦନ୍ତରେ ବାଧା ସୃଷ୍ଟି ଆଶଙ୍କାରେ ପୋଲିସ ସବିଶେଷ ତଥ୍ୟ ପ୍ରଦାନ ପାଇଁ ମନା କରିଛି।