Categories: ଫୁରସତ

ନକଲି ମାର୍କଶିଟ୍‌ରେ ୩୮ ବର୍ଷ ଚାକିରି: ଅବସର ଦିନ ଧରାପଡ଼ିଲେ କର୍ମଚାରୀ

କୋଟା: ନକଲି ମାର୍କଶିଟ୍‌ ଦେଇ ଚାକିରି କରିବା ଘଟଣା ଭାରତରେ କିଛି ନୂଆ ନୁହେଁ। କିନ୍ତୁ ଚାକିରି କରିବା ପରେ ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। କିନ୍ତୁ ନକଲି ମାର୍କଶିଟ୍‌ ଦେଇ ଚାକିରି କରି ଅବସର ନେବା ଦିନ ଧରାପଡିବା ଭଳି ରୋଚକ ଘଟଣା ଘଟିଛି ରାଜସ୍ଥାନର କୋଟାରେ। କୋଟାର ଖଣି ବିଭାଗର ସହାୟକ ପ୍ରଶାସନିକ ଅଧିକାରୀ ଲେଖରାଜ ମୀନା ୩୮ ବର୍ଷ ନକଲି ମାର୍କଶିଟ୍‌ ଦେଇ ଚାକିରି କରିଥିଲେ। ଖଣି ବିଭାଗର ମନ୍ତ୍ରୀ ଏହି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେବା ପରେ ଲେଖରାଜ ଫସି ଯାଇଛନ୍ତି । ଅବସର ନେବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ଲାଗି କୁହାଯିବାରୁ ସମ୍ପୃକ୍ତ ବିଭାଗ ତତ୍ପରତା ପ୍ରକାଶ କରି ଏହି ଘଟଣାର ପର୍ଦ୍ଦାଫାଶ କରିଥିଲା। ଅବସର ନେବା ଦିନ ଏକ ପାର୍ଟିର ମଧ୍ୟ ଆୟୋଜନ କରାଯାଇଥିଲା। ପାର୍ଟି ହେବ କ’ଣ, ଲେଖରାଜଙ୍କ ବିରୋଧରେ ଏଫ୍‌ଆଇଆର ଦାଏର କରାଯିବାର ଯୋଜନା କରାଯାଇ ଚାକିରିର ସବୁ ବେନିଫିଟ ନ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୂତ୍ର ମୁତାବିକ, ଲେଖରାଜଙ୍କ ବିରୋଧରେ ଅଭିଯୋଗ ଖଣିମନ୍ତ୍ରୀଙ୍କ ନିକଟକୁ ଆସିବା ପରେ ତାହାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିଲା। ମାଧ୍ୟମିକ ଶିକ୍ଷା ମଣ୍ଡଳର ସଚିବଙ୍କ ଦ୍ୱାରା ଏହାର ଯାଞ୍ଚ କରାଯିବା ପରେ ଜଣାପଡିଥିଲାଯେ, ଲେଖରାଜଙ୍କ ମାର୍କଶିଟ୍‌ ନକଲି। ମଣ୍ଡଳ ପକ୍ଷରୁ ଦିଆଯାଇଥିବା ମାର୍କଶିଟ୍‌ରେ ଜନ୍ମ ତାରିଖ ୧ ଜୁନ ୧୯୪୯ ଥିବାବେଳେ ନକଲି ମାର୍କଶିଟ୍‌ରେ ତାହା ୧୨ ଜୁଲାଇ ୧୯୫୯ ଲେଖାଥିଲା। ଏହାସହ ତାଙ୍କ ନାମ ଓ ପିତାଙ୍କ ନାମ ଯେଉଁ ଅକ୍ଷରରେ ଲେଖାଯାଇଥିଲା, ତାହାକୁ ବି ବଦଳା ଯାଇଥିଲା।

Share