Categories: ଭଦ୍ରକ

ନକଲି ସାର୍ଟିଫିକେଟରେ ଷ୍ଟାଇପେଣ୍ଡ ଲୁଟ୍‌ ଘଟଣା: ୩ କର୍ମଚାରୀଙ୍କୁ ବହିଷ୍କାର

ଭଦ୍ରକ ଅଫିସ, ୨୨।୧୨- ଭଦ୍ରକ ଜିଲାରେ ନକଲି ସାର୍ଟିଫିକେଟ ଦେଇ କୋଟି କୋଟି ଟଙ୍କା ଷ୍ଟାଇପେଣ୍ଡ ଲୁଟ୍‌ ଘଟଣାରେ ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ୩ କର୍ମଚାରୀଙ୍କୁ ଶୁକ୍ରବାର ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ଏହି ୩ କର୍ମଚାରୀ ଆଉଟ୍‌ସୋର୍ସିଂ ଏଜେନ୍ସି ମାଧ୍ୟମରେ କାମ କରୁଥିଲେ। ଏଣୁ ସମ୍ପୃକ୍ତ ଏଜେନ୍ସିକୁ ୩ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପାଇଁ ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଷ୍ଟାଇପେଣ୍ଡ କୋର୍ଡିନେଟର ଭାରତୀ ମହାପାତ୍ର, ଡାଟାଏଣ୍ଟ୍ରି ଅପରେଟର ବିକାଶ କୁମାର ହୋତା ଓ ଭଜନ ବିନ୍ଧାଣୀଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏକ ଇଞ୍ଜିନିୟରିଂ କଲେଜକୁ ମଧ୍ୟ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏହାଛଡ଼ା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଭିଜିଲାନ୍ସକୁ ଅନୁରୋଧ କରାଯାଇଛି।
ଷ୍ଟାଇପେଣ୍ଡ ଟଙ୍କା ପାଉଥିବା ଛାତ୍ରୀଛାତ୍ରଙ୍କ ପାଖରେ ବ୍ୟାଙ୍କ ପାସ୍‌ବୁକ ନ ରହିବା, ମିଥ୍ୟା ଜାତିଗତ ସାର୍ଟିଫିକେଟ୍‌ ପ୍ରଦାନ, ଉତ୍ତୀର୍ଣ୍ଣ ବୟସ୍କଙ୍କୁ ଛାତ୍ର ଭାବେ ଗ୍ରହଣ କରିବା, ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କଠାରୁ ଖାଦ୍ୟପେୟ ବାବଦରେ ଅର୍ଥ ନେବା, ଏହି ଛାତ୍ରୀଛାତ୍ରଙ୍କଠାରୁ ଚେକ୍‌ବୁକ୍‌ରେ ଅଗ୍ରିମ ଦସ୍ତଖତ ନେବା ଆଦି ବହୁ ଜାଲିଆତି ସମ୍ପର୍କରେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ସୂଚନା ମିଳିଛି।