ନକଲି ସାର୍ଟିଫିକେଟ୍‌ରେ ଶିକ୍ଷକତା

ଭଦ୍ରକ ଅଫିସ, ୧୯।୧୧- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଅଁା ନିକଟସ୍ଥ ସୁଦର୍ଶନପୁର ଅଞ୍ଚଳର ଜଣେ ଯୁବକ ନକଲି ସାର୍ଟିଫିକେଟ ଦେଇ ୮ ବର୍ଷ ଧରି ଶିକ୍ଷକତା କରିଆସୁଥିଲେ। ନିକଟରେ ଶିକ୍ଷା ବିଭାଗ ଦ୍ୱାରା ଧରାପଡ଼ିବାରୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଏ ନେଇ ଜିଲା ଶିକ୍ଷାଧିକାରୀଙ୍କ ଏତଲା କ୍ରମେ ଭଦ୍ରକ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ସମ୍ପୃକ୍ତ ଯୁବକ ଫେରାର ଥିବାରୁ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଖୋଜୁଛି।
ସୂଚନା ଅନୁଯାୟୀ, ଉକ୍ତ ଯୁବକ ଯୁକ୍ତ ୨ ଉପଶାସ୍ତ୍ରୀର ନକଲି ସାର୍ଟିଫିକେଟ୍‌ ଦେଇ ୨୦୧୧ ଡିସେମ୍ବରରେ ଶିକ୍ଷାସହାୟକ ଭାବେ ନିଯୁକ୍ତ ହୋଇଥିଲେ। ସେ ଧାମନଗର ବ୍ଲକ ଅଞ୍ଚଳର ଏକ ସ୍କୁଲରେ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଥିଲେ। ତାଙ୍କ ସାର୍ଟିଫିକେଟ୍‌ ନକଲି ବୋଲି ଜିଲା ଶିକ୍ଷା ବିଭାଗ ସମ୍ପୃକ୍ତ ବୋର୍ଡ଼ରୁ ତନଖି କରି ଜାଣିବାକୁ ପାଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ବ୍ଲକ ଶିକ୍ଷାଧିକାରୀ ସମ୍ପୃକ୍ତ ଶିକ୍ଷକଙ୍କୁ ବହିଷ୍କୃତ କରିଛନ୍ତି।

Share