ନକଲି ସାର୍ଟିଫିକେଟ୍‌ ଦେଇ କାର୍ଯ୍ୟ କରୁଛନ୍ତି କର୍ମଚାରୀ: ଯାଞ୍ଚ କରିବାକୁ ଓସେପାର ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ନକଲି ସାର୍ଟିଫିକେଟ୍‌ ଦେଇ କାର୍ଯ୍ୟ କରୁଛନ୍ତି ସରକାରୀ ଅଧିକାରୀ। ଓଡ଼ିଶା ପ୍ରାଇମେରି ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓପେପା)/ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓସେପା) ଅଧୀନରେ ଅନେକ କର୍ମଚାରୀ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଛନ୍ତି। ଏଭଳି ଅଭିଯୋଗ ହେବା ପରେ ବିଭାଗ ତତ୍ପର ହୋଇପଡ଼ିଛି। ନକଲି ସାର୍ଟିଫିକେଟ୍‌ ଦେଇ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓସେପା ପକ୍ଷରୁ ସମସ୍ତ ଜିଲାପାଳ ତଥା ଆର୍‌ଟିଇ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଓପେପା କିମ୍ବା ଓସେପା ଅଧୀନରେ ଏସ୍‌ପିଓ, ଡିପିଓ, ବ୍ଲକ୍‌ସ୍ତରୀୟ କର୍ମଚାରୀମାନେ ନିଯୁକ୍ତି ପାଇଥିବା ସମୟରେ ଦେଇଥିବା ସାର୍ଟିଫିକେଟ୍‌କୁ ଅତି ସାବଧାନତା ସହ ଯାଞ୍ଚ କରିବାକୁ କୁହାଯାଇଛି। ଯଦି କିଏ ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିବା ଜଣାପଡ଼େ, ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ତୁରନ୍ତ ମାମଲା ରୁଜୁ କରିବାକୁ ମଧ୍ୟ0 କୁହାଯାଇଛି। ଉକ୍ତ କର୍ମଚାରୀଙ୍କ ମାର୍କଶିଟ୍‌ ଓ ସାର୍ଟିଫିକେଟ୍‌ର ଅଧିକ ଯାଞ୍ଚ ପାଇଁ ରାଜ୍ୟ କିମ୍ବା ରାଜ୍ୟ ବାହାର ବୋର୍ଡ, କାଉନ୍‌ସିଲ, ବିଶ୍ୱବିଦ୍ୟାଳୟ, ଶିକ୍ଷାନୁଷ୍ଠାନ କିମ୍ବା କୌଣସି ଅନୁଷ୍ଠାନକୁ ପଠାଯାଇପାରିବ। ସାର୍ଟିଫିକେଟ୍‌ ଯାଞ୍ଚ ହେବା ପରେ ଡିପିସି କର୍ମଚାରୀଙ୍କ ମାର୍କଶିଟ୍‌ ଓ ସାର୍ଟିଫିକେଟ୍‌ ଠିକ୍‌ ଅଛି କିମ୍ବା ଭୁଲ ସେନେଇ ଏସ୍‌ପିଓଙ୍କୁ ଦୁଇମାସ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Share