ନକାରାତ୍ମକ ମାନସିକତା ଓ ମସ୍ତିଷ୍କର କାର୍ଯ୍ୟଧାରା

ବ୍ୟସ୍ତମୟ ଜୀବନରେ ନିଜ ମାନସିକତାକୁ ସକାରାତ୍ମକ ରଖବା ହୁଏତ ଏତେଟା ସହଜ ନୁହେଁ। ହେଲେ ଅନ୍ୟପକ୍ଷରେ ତାହାକୁ ଅବହେଳା କରିବା ମଧ୍ୟ ଠିକ୍‌ ନୁହେଁ। ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର କ୍ୟାନସର ବିଶେଷଜ୍ଞମାନେ ଏକ ରୋଚକ ତଥ୍ୟ ସମାନାକୁ ଆଣିଛନ୍ତି। ଏକ ସଦ୍ୟତମ ଗବେଷଣାରୁ ସେମାନେ ଜାଣିପାରିଛନ୍ତି ଯେ, ଯଦି ଜଣେ ବ୍ୟକ୍ତିଙ୍କର ମାନସିକତା ଅଧିକାଂଶ ସମୟ ନକାରାତ୍ମକ ରହେ ଏବଂ ତାହା ଦୀର୍ଘଦିନ ଧରି ଲାଗି ରହେ ତେବେ ଏହାଦ୍ୱାରା ତାଙ୍କର ମସ୍ତିଷ୍କ କାର୍ଯ୍ୟଧାରା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଅବସାଦକୁ ନେଇ ଗବେଷଣା କରିବା ବେଳେ ସେମାନେ ଏ ସମ୍ପର୍କରେ ସୂଚନା ପାଇଥିଲେ। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ନକାରାତ୍ମକ ମାନସିକତାର ସମ୍ମୁଖୀନ ହୁଅନ୍ତି, ତେବେ ତାହାର ପ୍ରଭାବ ମସ୍ତିଷ୍କ କାର୍ଯ୍ୟଧାରା ଉପରେ ପଡିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। କେତେକ ବ୍ୟକ୍ତିଙ୍କ ମାନସିକତାକୁ ନେଇ ଏ ସମ୍ପର୍କରେ ସର୍ଭେ ମଧ୍ୟ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କଠାରେ ଏପରି ମସ୍ତିଷ୍କଜନିତ ସମସ୍ୟା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଅଧିକାଂଶ ସମୟ ଅବସାଦଗ୍ରସ୍ତ ରହିବା ଦ୍ୱାରା ଶରୀରରେ କୋଷଗୁଡିକ ଦୁର୍ବଳ ହୋଇପଡନ୍ତି, ଯାହାଫଳରେ ମସ୍ତିଷ୍କର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଥାଏ।