ନଗଡ଼ାର ବିକାଶ ଦିଗହାରା ଅଭିଯୋଗ:ଲୋକାୟୁକ୍ତଙ୍କ ନୋଟିସ ପରେ ସମୀକ୍ଷା ଆରମ୍ଭ

କାଳିଆପାଣି,୫ା୧୧(ଡି.ଏନ୍‌.ଏ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡାରେ ଶିଶୁ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଖିଦୃଶିଆ ବିକାଶ ହୋଇପାରି ନାହଁି। ଏହାର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର ପ୍ରାୟ ୨୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାକୁ ନେଇ ଗତ ସପ୍ତାହରେ ରାଜ୍ୟ ସୂଚନା ଅଧିକାର ଆଇନ ସଂଗଠନ ଆବାହକ ପ୍ରଦୀପ ପ୍ରଧାନ ନଗଡା ଗସ୍ତକରି ବିଭିନ୍ନ ଅନିୟମିତତା ସମ୍ପର୍କରେ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଯାଜପୁର ପ୍ରକଳ୍ପ ନିର୍ଦ୍ଦେଶକ, ସୁକିନ୍ଦା ବିଡିଓ, ଗ୍ରାମ ଉନ୍ନୟନ, ଆରଡବ୍ଲ୍ୟୁଏସ୍‌ଏସ୍‌, ଧବଳଗିରି ବିଦ୍ୟୁତ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ନୋଟିସ ଜାରି କରି ୬ ସପ୍ତାହ ଅର୍ଥାତ ଡିସେମ୍ବର ୯ ତାରିଖ ସୁଦ୍ଧା ପକ୍ଷ ରଖିବାକୁ କହିଥିଲେ। ଏହି କ୍ରମରେ ସୋମବାର ଜୀବିକା ମିଶନ ଯାଜପୁର ପ୍ରକଳ୍ପ ଅଧିକାରୀ ବନଜାକାନ୍ତ ମହାରୀ ଓ ଆର୍‌ଡି ଏସ୍‌ଡିଓ ମୁଦୁଲି ଭେଙ୍କଟରମଣଙ୍କ ସମେତ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଯାଜପୁର ଗ୍ରାମ୍ୟ ଉନୟନ, ଧବଳଗିରି ବିଦ୍ୟୁତ୍‌ ବିଭାଗ ଓ ସୁକିନ୍ଦା ପଞ୍ଚାୟତ ସମିତି କାର୍ଯ୍ୟାଳୟର ବହୁ ଅଧିକାରୀ ନଗଡାରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ସମୟରେ ୨ ଡିସିମିଲରୁ ଊର୍ଦ୍ଧ୍ୱ ନିଜସ୍ବ ଜାଗା ଥିବା ପରିବାର ପିଛା ୧୦ଟି ଲେଖାଏଁ କଦଳୀ, ସଜନା, ଅମୃତ ଭଣ୍ଡା ଗଛ ଯୋଗାଇ ଦିଆଯିବ ବୋଲି ଜୀବିକା ମିଶନ ପ୍ରକଳ୍ପ ଅଧିକାରୀ କହିଛନ୍ତି। ବିପର୍ଯ୍ୟସ୍ତ ରାସ୍ତା ମରାମତି କରାଯିବ ବୋଲି ଆର୍‌ଡି ଏସ୍‌ଡିଓ କହିଥିଲେ। ତେବେ ଲୋକାୟୁକ୍ତ ଯାଜପୁର ପିଡି ଓ ସୁକିନ୍ଦା ବିଡିଓଙ୍କୁ ସମନ ଜାରି କରିଥିଲେ ମଧ୍ୟ ସେମାନେ ଗ୍ରସ୍ତରେ ସାମିଲ ହୋଇ ନ ଥିବା ଦେଖିବାକୁ ମିଳିଥିଲା। ନଗଡାରେ ଅପପୁଷ୍ଟିରେ ଶିଶୁ ମଡ଼କ ପରେ ରାଜ୍ୟ ସରକାର ନଗଡାର ଉନ୍ନତି ପାଇଁ ୨୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିଭିନ୍ନ ଉନ୍ନୟନ ମୂକଳ କାର୍ଯ୍ୟରେ ବ୍ୟୟ କରିଛନ୍ତି। ହେଲେ ୨୦୧୬ରୁ ୧୯ ମଧ୍ୟରେ ନଗଡାର ବିକାଶ ସେପରି କିଛି ପରିବର୍ତ୍ତନ ହୋଇ ନ ଥିବା ଦେଖିବାକୁ ମିଳିଛି। ଅଶୋକଝରରୁ ନଗଡାକୁ ଗ୍ରାମ୍ୟ ଉନୟନ ବିଭାଗ ଦ୍ୱାରା ହୋଇଥିବା ୧୫କୋଟିର ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇଛି। ୧ କୋଟି ୮୦ ଲକ୍ଷ ବ୍ୟୟ ସତ୍ୱେ ଅଦ୍ୟାବଧି ନଗଡାରେ ବଲ୍‌ଟିଏ ଜଳି ପାରିଲା ନାହିଁ। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇ ସାରିଥିଲେ ମଧ୍ୟ ନଗଡାରେ ବାଡି ବଗିଚାଟିଏ ହୋଇ ପାରି ନ ଥିବା ଅଭିଯୋଗ ହୋଇଛି।