ନଜର ରଖିବାକୁ ୨୪ ଘଣ୍ଟିଆ କଲ୍‌ ସେଣ୍ଟର, ହ୍ବାଟ୍ସଆପ୍‌ ଗ୍ରୁପ

ଅନୁଗୋଳ ଅଫିସ, ୩।୪ – କରୋନା ମୁକାବିଲା ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ କଲ୍‌ ସେଣ୍ଟର ଖୋଲାଯାଇଥିବା ବେଳେ ଅଭିଯୋଗ ଶୁଣିବାକୁ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରାଯାଇଛି। ଏହି ୨୪ ଘଣ୍ଟିଆ କଲ୍‌ ସେଣ୍ଟରରୁ ପର୍ଯ୍ୟାୟ କ୍ରମେ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହୁଥିବା ଲୋକଙ୍କ ପାଖକୁ ଫୋନ୍‌ କଲ୍‌ ଯିବ। ଏହାପରେ କ୍ୱାରାଣ୍ଟାଇନ୍‌ରେ ଥିବା ଲୋକମାନେ ଲୋକେଶନ ଶେୟାର କରିବେ। ଏହାଦ୍ୱାରା କ୍ବାରାଣ୍ଟାଇନ୍‌ ନିୟମ ଫାଙ୍କୁଥିବା ଲୋକେ ଧରାପଡ଼ିବେ ବୋଲି ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଏଥିସହ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଡାକ୍ତର, ତେଜରାତି ହୋଲସେଲ୍‌ର, ମେଡିସିନ୍‌ ହୋଲସେଲର ଓ ପେଟ୍ରୋଲ ପମ୍ପ ମାଲିକଙ୍କୁ ସାମିଲ କରାଯାଇଛି। ଏହି ଗ୍ରୁପ୍‌ ଜରିଆରେ ସେମାନଙ୍କ ସମସ୍ୟା ଜଣାଇଲେ ପୋଲିସ ତୁରନ୍ତ ସମାଧାନ କରିବ। ଏଥିସହିତ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ରାଜପଥ ପାର୍ଶ୍ୱରେ ଖୋଲିଥିବା ଢାବା ଓ ଗ୍ୟାରେଜ୍‌କୁ ଫୋନ୍‌ କରାଯାଇ ବ୍ୟବସ୍ଥା ଠିକ୍‌ ଭାବେ ଚାଲିକି ନାହିଁ ତାହାର ତଦାରଖ କରାଯିବ।