ନଟରାଜ ପୋଜ୍‌

କ୍ରିକେଟ ପାଇଁ ରଣବୀର ସିଂ କେତେ ପାଗଳ ତାହା କହିବା ବାହୁଲ୍ୟ। କାରଣ ଗତ ବିଶ୍ୱକପ୍‌ରେ ତାଙ୍କୁ ଅତିଥି ଭାଷ୍ୟକାର ଭାବରେ ଦେଖିବାକୁ ମିଳିଥିଲା। କମେଡି ଡାଏଲଗ୍‌ ଭରା ତାଙ୍କର ଲାଇଭ୍‌ କମେଣ୍ଟ୍ରିକୁ ନେଇ ସେତେବେଳେ ବେଶ୍‌ ପ୍ରଶଂସା ମିଳିଥିଲା। ଏବେ ମଧ୍ୟ ସେ କ୍ରିକେଟ ପାଇଁ ଚର୍ଚ୍ଚାରେ ଅଛନ୍ତି। କାରଣ ଲୋକପ୍ରିୟ ଭାରତୀୟ କ୍ରିକେଟ ଖେଳାଳି ତଥା ପ୍ରଥମ ଥର ପାଇଁ ଭାରତକୁ ବିଶ୍ୱକପ ବିଜୟ ସ୍ବାଦ ଚଖାଇଥିବା କପିଳ ଦେବଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି ହିନ୍ଦୀ ସିନେମା ‘୮୩’। କାରଣ ୧୯୮୩ ବିଶ୍ୱକପ କ୍ରିକେଟରେ ସେ ଭାରତୀୟ ଦଳର ଅଧିନାୟକ ପଦ ତୁଲାଇଥିଲେ। ତେବେ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର ସିଂ। ନିକଟରେ ଏହି ଫିଲ୍ମରେ ଦୃଶ୍ୟାୟିତ ହେବାକୁ ଥିବା ନଟରାଜ ପୋଜ୍‌ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ସୂଚନାଯୋଗ୍ୟ ସେହି ସମୟରେ କପିଳ ଦେବଙ୍କର ଏହି ଶଟ୍‌ ବେଶ୍‌ ପ୍ରଶଂସିତ ହୋଇଥିଲା। ଏ ସମ୍ପର୍କରେ ରଣବୀର କହନ୍ତି, ‘ମୋର ସୌଭାଗ୍ୟ ଯେ କପିଳଙ୍କ ପରି ମହାନ କ୍ରିକେଟ ଖେଳାଳିଙ୍କ ବାୟୋପିକ୍‌ରେ ମୁଁ ଅଭିନୟ କରୁଛି। ତାଙ୍କର ଏହି ନଟରାଜ ଶଟ୍‌ ଶୁଟିଂ ସମୟରେ ମୋତେ ବେଶ୍‌ ପରିଶ୍ରମ କରିବାକୁ ପଡିଥିଲା। କାରଣ ନିର୍ଦ୍ଦେଶକ କବୀର ଖଁା ଚାହୁଁଥିଲେ ଯେ ଶଟ୍‌ଟି ଯେତେ ନାଚୁରାଲ ହେବ ତାହା ଦର୍ଶକଙ୍କୁ ସେତେ ପ୍ରଭାବିତ କରିବ। ତେଣୁ ମୁଁ ହୋଟେଲ୍‌ରେ ଏହି ଶଟ୍‌କୁ ଅନେକ ସମୟ ଧରି ପ୍ରାକ୍ଟିସ କରିଥିଲି।’ ଏହି ଫିଲ୍ମରେ ରଣବୀରଙ୍କ ଅପୋଜିଟ୍‌ରେ ଅଛନ୍ତି ତାଙ୍କ ସ୍ତ୍ରୀ ଦୀପିକା ପାଦୁକୋନ୍‌।

Share