Categories: ଖେଳ

ନଟ୍ଟିଂହାମଶାୟର ସହ ଅଶ୍ୱିନଙ୍କ ଚୁକ୍ତି

ନୂଆଦିଲ୍ଲୀ, ୨୩।୫- ପ୍ରମୁଖ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କାଉଣ୍ଟି କ୍ରିକେଟ୍‌ କ୍ଲବ ନଟ୍ଟିଂହାମଶାୟର ସହ ଚୁକ୍ତି କରିଛନ୍ତି। ଜୁନ୍‌ରେ ସେ ନଟ୍ଟିଂହାମଶାୟର ଦଳ ସହ ଯୋଗ ଦେଇ ୬ଟି କାଉଣ୍ଟି ଚାମ୍ପିୟନଶିପ୍‌ ମ୍ୟାଚ୍‌ ଖେଳିବେ ବୋଲି ଜଣାପଡ଼ିଛି। ଜୁନ ୩୦ରେ ଏସେକ୍ସ ବିପକ୍ଷ ମ୍ୟାଚ୍‌ ଖେଳି ସେ ତାଙ୍କ ଅଭିଯାନ ଆରମ୍ଭ କରିବେ। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜେମ୍ସ ପାଟ୍ଟିନସନଙ୍କ ବଦଳରେ ବିଦେଶୀ ଖେଳାଳି ଭାବେ ୩୨ ବର୍ଷୀୟ ଅଶ୍ୱିନଙ୍କ ସହ ନଟ୍ଟିଂହାମଶାୟର ଏହି ଚୁକ୍ତି କରିଛି। ପାଟ୍ଟିନସନ ଜୁଲାଇରେ ହେବାକୁ ଥିବା ଆସେସ ସିରିଜରେ ଅଷ୍ଟ୍ରେଲିଆ ଦଳରେ ସାମିଲ ହେବାର ସମ୍ଭାବନା ରହିଥିବାରୁ କାଉଣ୍ଟି କ୍ଲବ ଛାଡ଼ିଛନ୍ତି। ଅଶ୍ୱିନ ଏଥିପୂର୍ବରୁ ୨୦୧୭ରେ ଓ୍ବସେଷ୍ଟରଶାୟର ପକ୍ଷରୁ କାଉଣ୍ଟି କ୍ରିକେଟ ଖେଳିଥିଲେ। ‘ସେଠାରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଓ ଉନ୍ନତମାନର କ୍ରିକେଟ ଖେଳ ଦେଖିବାକୁ ମିଳିଥାଏ। ନଟ୍ଟିଂହାମଶାୟର ସହ ଯୋଗ ଦେବାକୁ ମୁଁ ବ୍ୟଗ୍ର ରହିଛି। ଟ୍ରେଣ୍ଟବ୍ରିଜ ପରି ଆଇକନ ଭେନ୍ୟୁରେ ଖେଳି ଦଳର ବିଜୟରେ ନିଜର ଅବଦାନ ଦେବାକୁ ଲକ୍ଷ୍ୟ ରଖିଛି’ ବୋଲି ଅଶ୍ୱିନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଅଶ୍ୱିନ ଭାରତ ପକ୍ଷରୁ ୬୫ ଟେଷ୍ଟ ଖେଳି ୩୪୨ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଭାରତ ପକ୍ଷରୁ ସର୍ବାଧିକ ଟେଷ୍ଟ ଉଇକେଟ୍‌ ହାସଲ କରିଥିବା ବୋଲର ତାଲିକାରେ ସେ ୪ର୍ଥ ସ୍ଥାନରେ ରହିଛନ୍ତି।

Share