‘ନଟ୍‌ଖଟ୍‌’ ନିର୍ମାଣ କରିବେ ବିଦ୍ୟା

ମୁମ୍ବାଇ: ଅଭିନେତ୍ରୀ ବିଦ୍ୟା ବାଲାନ୍‌ ସାମାଜିକ ପ୍ରସଙ୍ଗଭିତ୍ତିକ ଫିଲ୍ମ ‘ନଟ୍‌ଖଟ୍‌’ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ ସେ ନିଜେ ମଧ୍ୟ ଅଭିନୟ କରିବେ। ଏଥିପାଇଁ ସେ ପ୍ରଯୋଜକ ରୋନି ସ୍କ୍ରିଉବାଲାଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବେ। ଏ ସମ୍ପର୍କରେ ନିର୍ମାତାଙ୍କ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି, ପୁରୁଷପ୍ରଧାନ ସାମାଜିକ ବ୍ୟବସ୍ଥା, ମହିଳା ପୁରୁଷ ଅସମାନତା, ବଳାତ୍କାର, ଘରୋଇ ହିଂସା ଭଳି ବିଭିନ୍ନ ସାମାଜିକ ସମସ୍ୟାକୁ ଭିତ୍ତିକରି ନଟ୍‌ଖଟ୍‌ ନିର୍ମାଣ ହେବାକୁ ଯାଉଛି। ଏ ସମ୍ପର୍କରେ ବିଦ୍ୟା କହନ୍ତି, ଏହା ଏକ ସୁନ୍ଦର କାହାଣୀ ହୋଇଥିବାରୁ ଏହାକୁ ପ୍ରସ୍ତୁତ କରିବା ସହିତ ଏଥିରେ ଅଭିନୟ କରିବାକୁ ଇଚ୍ଛା ହେଲା। ସ୍କ୍ରିଉବାଲା ମଧ୍ୟ ବିଦ୍ୟାଙ୍କ ସହିତ କାମ କରିବା ପାଇଁ ଇଚ୍ଛୁକ ଥିବା ପ୍ରକାଶ କରିଛନ୍ତି। ପ୍ରଥମେ ସେ ଯେତେବେଳେ ନଟ୍‌ଖଟ୍‌ର କାହାଣୀ ଶୁଣିଲେ ଏହାକୁ ନେଇ ଫିଲ୍ମ ନିର୍ମାଣ କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ। ଉକ୍ତ ସିନେମାରେ ବହୁ ସାମାଜିକ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଇଥିବାବେଳେ ଫିଲ୍ମ ମାଧ୍ୟମରେ ସମାଜକୁ ବଳିଷ୍ଠ ବାର୍ତ୍ତା ମଧ୍ୟ ଦିଆଯାଇଛି। ବିଶେଷକରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ପାଇଁ ଏଭଳି ଏକ ଫିଲ୍ମ ନିର୍ମାଣ କରାଯାଉଥିବା ନିର୍ମାତା ସୂଚନା ଦେଇଛନ୍ତି। ଏହାର କାହାଣୀ ରଚନା କରିଛନ୍ତି ଅନୁକମ୍ପା ହର୍ଷ ଏବଂ ଶାନ୍‌ ବ୍ୟାସ। ଆର୍‌ଏସ୍‌ଭିପି ସହଯୋଗୀ ପ୍ରଯୋଜକ ସନୟ ଇରାନୀଙ୍କ ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ ହେଉଥିବାବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ବ୍ୟାସ୍‌।

Share