Categories: ଜାତୀୟ

ନଡ଼ା ଜାଳିବା ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ, ୬।୧୧: ଦିଲ୍ଲୀ-ଏନ୍‌ସିଆରରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରଦୂଷଣ ସମସ୍ୟା ଉପରେ ବୁଧବାର କୋର୍ଟ ଶୁଣାଣି କରିଛନ୍ତି। ଏହି ଶୁଣାଣି ବେଳେ ଦିଲ୍ଲୀ, ହରିୟାଣା ଓ ପଞ୍ଜାବର ମୁଖ୍ୟ ସଚିବ ଉପସ୍ଥିତ ଥିଲେ। ବିଚାରପତି ଅରୁଣ ମିଶ୍ରଙ୍କୁ ନେଇ ଏକ ଖଣ୍ଡପୀଠ ଏହାର ଶୁଣାଣି କରି ପଞ୍ଜାବ ଓ ହରିୟାଣା ସରକାରଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ରାଜ୍ୟ ସରକାର ନିଜର କର୍ତ୍ତବ୍ୟ ଠିକ୍‌ ଭାବେ କରିପାରି ନାହାନ୍ତି। କୃଷକମାନଙ୍କ ନଡ଼ା ଜାଳିବା ସମସ୍ୟାକୁ ରୋକିବା ଲାଗି ସରକାର ଓ ଅଧିକାରୀଙ୍କ ମଧ୍ୟରେ କୌଣସି ସମନ୍ବୟ ନାହିଁ। ସମସ୍ତଙ୍କୁ ଜଣା ଯେ, ଚଳିତ ବର୍ଷ ଚାଷୀ କ୍ଷେତରେ ନଡ଼ା ଜାଳିବେ। ତେଣୁ ସରକାର ଆରମ୍ଭରୁ କାହିଁକି ଏହାର ପ୍ରତିକାର ବ୍ୟବସ୍ଥା କଲେ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଆଉ ଏଥିପାଇଁ ଚାଷୀଙ୍କୁ କାହିଁକି ମେଶିନ ଉପଲବ୍ଧ କରାଯାଉ ନାହିଁ। ଏଥିରୁ ଜଣାପଡ଼ୁଛି, ଏହି ସମସ୍ୟା ପ୍ରତି କେହି ସମ୍ବେଦନଶୀଳ ନାହାନ୍ତି। ଏହା କୋଟି କୋଟି ଲୋକଙ୍କ ଜୀବନ ଓ ମୃତ୍ୟୁର ବିଷୟ ରହିଥିବା ବେଳେ ଏଥିପାଇଁ କେବଳ ସରକାର ହିଁ ଦାୟୀ ବୋଲି କୋର୍ଟ କହିଛନ୍ତି। ଏଣୁ ପଞ୍ଜାବ ସରକାରଙ୍କୁ ଫସଲର ନଡ଼ା ଜାଳିବା ଉପରେ ରୋକ ଲଗାଇବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share