Categories: ଜାତୀୟ

ନଦୀକୁ ଖସିଲା ବରଯାତ୍ରୀ ବସ୍‌

ବୁନ୍ଦି,୨୬।୨: ରାଜସ୍ଥାନର ବୁନ୍ଦି ଜିଲାରେ ବୁଧବାର ସକାଳେ ଏକ ଅଘଟଣ ଘଟିଛି। ପାପଡ଼ି ଗାଁ ନିକଟରେ ଏକ ବରଯାତ୍ରୀ ବସ୍‌ ମେଜ୍‌ ନଦୀରେ ଖସିପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ କୋଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, କୋଟାରୁ ସବାଇ ମାଧୋପୁରକୁ ଏକ ବିବାହ ସମାରୋହରେ ଯୋଗଦେବାକୁ ବରଯାତ୍ରୀ ବସ୍‌ରେ ଯାଉଥିଲେ। ପାପଡ଼ି ଗାଁ ନିକଟରେ କୋଟା ଲାଲସୋଟ ମେଗା ହାଇଓ୍ବେ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ନଦୀରେ ଖସିପଡ଼ିଥିଲା। ଏଥିରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଯାତ୍ରା କରୁଥିବା ବେଳେ ଘଟଣାସ୍ଥଳରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୦ଜଣ ପୁରୁଷ, ୧୧ମହିଳା ଓ ୩ଶିଶୁ ରହିଛନ୍ତି। ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ରେସକ୍ୟୁ ଅପରେଶନ୍‌ ଆରମ୍ଭ କରିଥିଲେ। ମୃତଦେହ ଉଦ୍ଧାର କରାଯିବା ସହ ୫ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Share