ନଦୀକୁ ଗାଧୋଇବାକୁ ଯାଇ ଦାଦା-ପୁତୁରା ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଝାରସୁଗୁଡ଼ା ଅଫିସ,୮।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଇବ୍‌ ନଦୀକୁ ଗାଧୋଇବାକୁ ଯାଇ ଦାଦା ପୁତୁରା ନିଖୋଜ ହୋଇଯାଇଥିବା ଜଣାପଡ଼ିଛି।
ସୂଚନାନୁସାରେ, ରବିବାର ସକାଳୁ ଦାଦା ଓ ପୁତୁରା ନଦୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ସେମାନେ ଘରକୁ ଫେରି ନ ଥିଲେ। ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳି ନ ଥିଲା। ତେବେ ଉଭୟ ନଦୀରେ ନିଖୋଜ ହୋଇଯାଇଥିବା କୁହାଯାଉଛି। ନିଖୋଜ ବ୍ୟକ୍ତି ହେଲେ ଲମଟିବାହାଲର ସନ୍ଦୀପ ମେହେଟ୍ଟା ଏବଂ ପୁତୁରା କେତନ ମେହେଟା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଠାବ କରିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ।