ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଫୁଲବାଣୀ ଅଫିସ, ୩୧ା୮-ଫୁଲବାଣୀ ସହର ଡାମିଗାଁ ପାଖ ସାଲୁଙ୍କି ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି। ମୃତ ଜଣକ ହେଲେ ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ବିଲୁପଦର ଗ୍ରାମର ରାଜୀବ ଲୋଚନ ବେହେରା। ସେ ଫୁଲବାଣୀ କେନ୍ଦୁପଦରରେ ରହୁଥିଲେ ଏବଂ ଡାମିଗାଁରେ ବିବାହ କରିଥିଲେ। ରାଜୀବ ଏଠାରେ ରହି ରଙ୍ଗ ମିସ୍ତ୍ରି ଭାବେ କାମ କରୁଥିଲେ। ଗୁରୁବାର ସେ ଶ୍ୱଶୁର ଘରକୁ ଯାଇଥିଲେ। ସକାଳେ ତାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ରାଜୀବଙ୍କ ମୁହଁରେ ଆଘାତ ଲାଗିଥିବା ବେଳେ ଗୁପ୍ତାଙ୍ଗକୁ କାଟି ଦିଆଯାଇଛି। ତେଣୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଭାଇ ପ୍ରକାଶ ବେହେରା ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ଅନ୍ୟପଟେ ରାଜୀବଙ୍କ ସ୍ତ୍ରୀ କହିଛନ୍ତି, ସ୍ବାମୀ ରାତିରେ ଆସିବେ ବୋଲି କହିଥିଲେ। ହେଲେ ଏତେ ରାତିରେ ନ ଆସିବାକୁ ତାଙ୍କୁ ବାରଣ କରିଥିଲି। ସକାଳେ ଦାଦା ନଦୀକୁ ଗାଧୋଇ ଯାଇଥିବା ବେଳେ ସ୍ବାମୀ ମୁହଁ ମାଡିହୋଇ ପଡିଥିବା ଦେଖି ଖବର ଦେଇଥିଲେ। ରାତିରେ ଆସିବା ବେଳେ ଗୋଡ ଖସି ଯିବାରୁ ମୃତ୍ୟୁ ହୋଇଥାଏ ପାରେ ବୋଲି ସେ କହିଛନ୍ତି। ଏ ନେଇ ଥାନାରେ ନଂ.୧୨୪/୧୯ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ
ଆସିଲେ ସତ୍ୟାସତ୍ୟ ଜଣାପଡିବ ବୋଲି ଦାୟିତ୍ୱରେ ଥିବା ଥାନାଧିକାରୀ
ବିଦ୍ୟାଭାରତୀ ନାୟକ ପ୍ରକାଶ କରିଛନ୍ତି।