Categories: ଗଞ୍ଜାମ

ନଦୀରେ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର

ଶେରଗଡ଼/ହିଞ୍ଜିଳିକାଟୁ,-୨୭ା୮(ଡି.ଏନ୍‌.ଏ.)-ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ରବିବାର ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଯାଇ ଋଷିକୂଲ୍ୟା ନଦୀରେ ଭାସିଯାଇ ନିଖୋଜ ଥିବା ସିଲି ବେହେରାଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ହିଞ୍ଜିଳିକାଟୁ ବ୍ଲକ ଗିରିଆ ନଦୀ ତଟରେ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ନିଖୋଜ ସିଲିଙ୍କ ପରିବାରକୁ ସୂଚନା ଦେଇଥିଲା। ପରିବାର ଲୋକେ ସେଠାରେ ପହଞ୍ଚି ତାହା ସିଲିଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ। ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲା। ଏ ନେଇ ନଂ.୨୧/୧୯ରେ ଅପମତ୍ୟୁ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ବାଲୁଙ୍କା ପୂଜା ପାଇଁ ବାଲି ଆଣିବାକୁ ଋଷିକୂଲ୍ୟା ନଦୀକୁ ଯାଇଥିବା ବେଳେ ସିଲିଙ୍କ ସମେତ ୫ ଯୁବତୀ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ ମଧ୍ୟ ସିଲିଙ୍କୁ ପାଇ ନ ଥିଲେ। ଦମକଳବାହିନୀ ବି ସନ୍ଧ୍ୟା
ପର୍ଯ୍ୟନ୍ତ ନଦୀରେ ଖୋଜିଥିଲେ ମଧ୍ୟ ସିଲିଙ୍କ ପତ୍ତା ମିଳି ନ ଥିଲା।