Categories: ଯାଜପୁର

ନଦୀରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଚଣ୍ଡିଖୋଲ,୧୦ା୬(ଡି.ଏନ୍‌.ଏ.) : ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଇଶମୌଜା ସେତୁ ନିକଟରେ ବଡ଼ଗେଙ୍ଗୁଟି ନଦୀରେ ଗାଧୋଇବାବେଳେ ବୁଡ଼ିଯାଇ ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତ ଛାତ୍ର ଜଣକ ହେଲେ ବଡ଼ଚଣା ଥାନା ଅନ୍ତର୍ଗତ ଅରଖପୁର ପଞ୍ଚାୟତ ବାରବାଟୀ ଗ୍ରାମର ଯତୀନ୍ଦ୍ର ସାହୁଙ୍କ ପୁଅ ଚିନ୍ମୟ(୧୫)। ସେ ଚଳିତବର୍ଷ ଦଶମ ଶେଣୀ ପାସ କରିଥିଲେ। ସୂଚନାଥାଉ କି, ସେହି ଗ୍ରାମର ପ୍ରତାପ ବଳଙ୍କ ପୁଅ ଶିବୁ ବଳ(୧୫) ଏବଂ ମୃତ ଚିନ୍ମୟ ଏକ ସେଣ୍ଟରରେ କୋଚିଂ ନେଉଥିଲେ। ଉଭୟ କୋଚିଂ ସାରି ସୋମବାର ପୂର୍ବାହ୍ନରେ ନିକଟସ୍ଥ ବଡ଼ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଉଭୟଙ୍କର ଗୋଡ଼ ଖସି ଯାଇଥିଲା। ଚିିତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚିନ୍ମୟଙ୍କ ମୃତ୍ୟୁ ଘଟିଥିବାବେଳେ ଶିବୁ ସୁସ୍ଥ ରହିଥିବା ଜଣାପଡ଼ିଛି।