ନଦୀରେ ଭାସିଗଲେ ୨ ବୃଦ୍ଧା ଭଉଣୀ

ଦଶମନ୍ତପୁର,୨୯ା୯(ଡି.ଏନ୍‌.ଏ.):ଦୁଇଦିନ ତଳେ ଡଙ୍ଗରରୁ ବାଉଁଶ କରଡ଼ି ସଂଗ୍ରହ କରିବାକୁ ଯାଇଥିବା ୨ ଜଣ ବୃଦ୍ଧା ଭଉଣୀ ନଦୀ ପାର ହେବା ବେଳେ ଭାସିଯାଇଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଗିର୍ଲିଗୁମ୍ମା ପଞ୍ଚାୟତ ତାଳଗୁଡ଼ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ରବିବାର ଉଭୟଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ତାଳଗୁଡ଼ ଗାଁର ବୃଦ୍ଧା କୋପେ ମାଝି ଓ ମନ୍ତ୍ରୀ ମାଝୀଙ୍କ ସ୍ତ୍ରୀ ଦଇମ ଦୁଇ ଭଉଣୀ ଅଟନ୍ତି। ଉଭୟ ବୟସ ୬୦ରୁ ଅଧିକ ହେବ। ଦୁହେଁ ଗତ ଶୁକ୍ରବାର ସକାଳେ ଗାଁ ନିକଟସ୍ଥ ଡଙ୍ଗରକୁ ବାଉଁଶ କରଡ଼ି ସଂଗ୍ରହ କରିବା ପାଇଁ ପୋଡ଼ଗାଡ଼ ନଦୀ ଡେଇଁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ସେମାନେ ଫେରି ନଥିଲେ। ପାଖ କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଭେଣ୍ଡିଆଯୋଡ଼ି ଗାଁରେ ଥିବା ଭାଇଙ୍କ ପାଖକୁ ସେମାନେ ଯାଇଥିବେ ଭାବି ଚୁପ୍‌ ରହିଯାଇଥିଲେ ପରିବାର ଲୋକ। କିନ୍ତୁ ଦୁଇଦିନ ପରେ ମଧ୍ୟ ସେମାନଙ୍କ ପତା ନ ମିଳିବାରୁ ରବିବାର ପରିବାର ଓ ଗାଁଲୋକେ ୨ ବୃଦ୍ଧା ଭଉଣୀଙ୍କୁ ଖୋଜିବା ପାଇଁ ନଦୀପାଖକୁ ଯାଇଥିଲେ। ଅପରାହ୍ନରେ ପୋଡ଼ଗାଡ଼ ନଦୀର ଚାଞ୍ଚଡ଼ା ନିକଟରୁ କୋପେଙ୍କ ମୃତଦେହ ମିଳିଥିଲା। ସେଠାରୁ ଅଳ୍ପଦୂରରେ ଦଇମଙ୍କ ମୃତଦେହ ସନ୍ଧ୍ୟାରେ ଠାବ କରାଯାଇଥିଲା। ଏହାପରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ପୀତବାସ ମୁଦୁଲିଙ୍କ ସହ ମୁରାନ ଫାଣ୍ଡିରେ ଏତଲା ଦେବା ପାଇଁ ବାହାରିଥିଲେ।