Categories: ମେଟ୍ରୋ

ନଦୀରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅଧୀନ କୂଆଖାଇ ନଦୀ କୂଳରେ ରବିବାର ଛଟପୂଜା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ପୂଜାର୍ଚ୍ଚନା ଚାଲିଥିବାବେଳେ ଅସାବଧାନତା ବଶତଃ ନଦୀରେ ଭାସିଯାଇ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଲକ୍ଷ୍ମୀସାଗର ଥାନା ଅଧୀନ କେନାଲ ରୋଡ଼ ଅଞ୍ଚଳର ବାସିନ୍ଦା ଉଗ୍ରସେନ ଶାହାଙ୍କ ପୁତ୍ର ଅମରଜିତ ଶାହା (୧୨)। ସୂଚନା ମୁତାବକ, ସକାଳେ ପରିବାର ସହ ଅମରଜିତ ଛଟ୍‌ ପୂଜା ପାଇଁ କୂଆଖାଇ ନଦୀକୁ ଯାଇଥିଲେ। ପ୍ରାୟ ସାଢେ ୭ଟାରେ ତାଙ୍କ ମାତା, ପିତାଙ୍କ ସମେତ ଅନ୍ୟ ପରିବାରବର୍ଗ ପୂଜାରେ ବସିଥିଲେ। ଏହି ସମୟରେ ଅମରଜିତ ନଈକୁ ଯାଇଥିବାବେଳେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯାଇଥିଲା। ସେ ଗଭୀରକୁ ଚାଲିଯାଇ ଭାସିଯାଉଥିବା ସମୟରେ ତାଙ୍କ ମାତା, ପିତାଙ୍କ ଦୃଷ୍ଟି ପଡ଼ିଥିଲା। ସେମାନଙ୍କ ପାଟି ଶୁଣି ଉପସ୍ଥିତ ଲୋକେ ଅମରଜିତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ପାଣି ପିଇଯିବା ସହ ଶ୍ୱାସରୁଦ୍ଧ ଯୋଗୁ ଅମରଜିତଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Share