ନଦୀରେ ଭାସିଯାଇ ଯୁବକ ମୃତ, ରାସ୍ତାରୋକୋ

ଭଞ୍ଜନଗର,୨୬।୮(ଡି.ଏନ.ଏ)-ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଚଢ଼େୟାପଲ୍ଲୀଠାରେ ରବିବାର ସକାଳ ପ୍ରାୟ ୧୦ଟାରେ ବୋଡ଼ାନଦୀରେ ଶ୍ରମିକ ରାଜ କୁମାର ଲେଙ୍କା ଭାସି ଯାଇଥିଲେ। ବେଲଗୁଣ୍ଠା ଦମଳକ ବାହିନୀ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ନେଇଥିଲେ। ସେଠାରେ ରାଜକୁମାରଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଅସ୍ଥାୟୀ ରାସ୍ତା ନିର୍ମାଣ କରିବାରେ ପୂର୍ତ୍ତ ବିଭାଗ ଅବହେଳା କରିବାରୁ ଏତେବଡ଼ ଦୁର୍ଘଟଣା ଘଟିଲା ବୋଲି ଲୋକେ ଅଭିଯୋଗ କରି ବେଲଗୁଣ୍ଠା ଛକଠାରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଫଳରେ ଅପରାହ୍ନ ପ୍ରାୟ ୪ଟାରୁ ୫ଟା ପର୍ଯ୍ୟନ୍ତ ଭଞ୍ଜନଗରରୁ ଭୁବନେଶ୍ୱର ଗାଡି ଚଳାଚଳ ବନ୍ଦ ରହିଥିଲା। ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ପ୍ରକାଶ ଯେ, ରାଜକୁମାର ବିଦ୍ୟୁତ୍‌ ମରାମତି କାମ କରନ୍ତି। ରବିବାର ସକାଳେ ନିଜ ଗ୍ରାମ ଚଢ଼େୟାପଲ୍ଲୀରୁ ନଦୀ ପାରହୋଇ ଚାଲିଚାଲି ଆମ୍ବପୁଆ ଯାଉଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାରେ ରାଜ କୁମାର ନଦୀ ପାର ହେଉଥିଲେ। ନଦୀ ଦେଇ ଯାଇଥିବା ପାଣି ପାଇପ୍‌କୁ ଧରି ସେ ନଦୀରେ ପାର ହେଉଥିଲେ। ମଝିରେ ପାଣିର ସ୍ରୋତ କ୍ଷିପ୍ର ଥିବାରୁ ସେ ଭାସିଯାଇଥିଲେ। ସେଠାରେ ଥିବା ଗ୍ରାମବାସୀ ରାଜକୁମାରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଦମକଳ ବାହିନୀ ପହଞ୍ଚତ୍ ନିକଟସ୍ଥ ଗଣ୍ଡରୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ନେଇଥିଲେ।
ସୂଚନାଯୋଗ୍ୟ ଯେ, ଚଢ଼େୟାପଲ୍ଲୀରେ ବୋଡ଼ାନଦୀ ଉପରେ ବହୁବର୍ଷ ପୂର୍ବେ ଲୁହା ସେତୁ ନିର୍ମାଣ ହୋଇଥିଲା। ଗତବର୍ଷ ସେତୁଟି କ୍ଷତିଗ୍ରସ୍ତ ହେବାରୁ ତାକୁ ଭାଙ୍ଗି କିଛିମାସ ହେବ ନୂତନ ସେତୁ ନିର୍ମାଣ ଆରମ୍ଭ ହୋଇଛି। ତେଣୁ ସେଠାରେ ଏକ ଅସ୍ଥାୟୀ ରାସ୍ତା (ଡ଼ାଇଭର୍ସନ) ନିର୍ମାଣ କରାଯାଇଥିଲା। କିଛିଦିନ ପୂର୍ବେ ବର୍ଷାପାଣିରେ ଅସ୍ଥାୟୀ ରାସ୍ତାଟି ଧୋଇଯାଇଥିଲା। ସମ୍ପୃକ୍ତ ରାସ୍ତା ଦେଇ ବୁଗୁଡ଼ା, ବାଲିପଦର, ଆସିକା ଯାଉଥିବା ଲୋକେ ହଇରାଣ ହେଉଥିଲେ। ପୂର୍ତ୍ତବିଭାଗ’ପକ୍ଷରୁ ଆଉ ଅସ୍ଥାୟୀ ରାସ୍ତା ମରାମତି କରାଗଲା ନାହିଁ। ବର୍ଷା ପାଣିରେ ପୁଣି ଭାସିଯିବା ଆଶଙ୍କାରେ ବିଭାଗ ରାସ୍ତା ନିର୍ମାଣ କରି ନ ଥିଲା। ତେଣୁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ଅଛି। କିନ୍ତୁ ଲୋକେ ଚାଲିଚାଲି ବିପଦସଙ୍କୁଳ ଅବସ୍ଥାରେ ନଦୀରେ ଯାତାୟାତ କରୁଥିଲେ।