ନନ୍ଦନକାନନକୁ ଆସିବ ଜିରାଫ, ହଳଦିଆ ଆନାକୋଣ୍ଡା

ବାରଙ୍ଗ,୬ା୬(ଡି.ଏନ୍‌.ଏ.): ନନ୍ଦନକାନନ ପାଇଁ ଖୁସି ଖବର। ଖୁବଶୀଘ୍ର ନନ୍ଦନକାନନକୁ ଆସିବାକୁ ଯାଉଛି ହଳେ ଜିରାଫ ଓ ହଳେ ହଳଦିଆ ଆନାକୋଣ୍ଡା। ଗ୍ରୀଷ୍ମପ୍ରବାହ କମିଲେ ଏହି ଅତିଥିଙ୍କୁ ଆଣିବାର ଯୋଜନା ରହିଛି। ଏଥିପାଇଁ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ସହମତି ମଧ୍ୟ ମିଳିସାରିିଛି। ଏହି ନୂଆ ଅତିଥି ଆସିଲେ ଖୁସି ପାଇଁ ସାଥୀ ଓ ନନ୍ଦନକାନନରେ ଆଉ ଏକ ନୂଆ ପ୍ରଜାତି ଯୋଡିହେବ।
ପ୍ରକାଶ ଯେ, ନନ୍ଦନକାନନର ଶେଷଭାଗ ଆଡକୁ ରହିଥିବା ୧୦୦ନଂ ଏନକ୍ଲୋଜରରେ ରହିଛି ଜିରାଫ ଖୁସି। ସାଥୀକୁ ଅପେକ୍ଷା କରି ଦୁଇବର୍ଷ ୩ମାସ ହେଲା ନିଃସଙ୍ଗ ଜୀବନ ବିତାଉଛି। ସେମାନଙ୍କ ବଂଶବୃଦ୍ଧି ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ମହୀଶୂର ଚିଡିଆଖାନା ସହ କଥାବାର୍ତ୍ତା ସରିଥିଲା। ହଳେ ଜିରାଫ ବଦଳରେ ହଳେ ସିମ୍ପାଜି ଦେବାକୁ ନନ୍ଦନକାନନ ରାଜି ହୋଇଥିବାବେଳେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ମଧ୍ୟ ଉଭୟ ଚିଡିଆଖାନାର ସହମତି ଉପରେ ମୋହର ଲଗାଇଥିଲେ। ଏହି ସମୟସୀମା ୧ବର୍ଷ ମଧ୍ୟରେ ଅଦଳବଦଳ ପ୍ରକ୍ରିୟାକୁ ତ୍ୱରାନ୍ବିତ କରା ନ ଯିବାରୁ ତାହାର ସମୟ ପୂର୍ଣ୍ଣ ହୋଇଯାଇଥିଲା। ତେବେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତମାସ ୨୨ତାରିଖରେ ଏକ ବୈଠକ ନୂଆଦିଲ୍ଲୀରେ ରହିଥିଲା। ବୈଠକରେ ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ଓ ମହୀଶୂର ଚିଡିଆଖାନା କର୍ତ୍ତୃପକ୍ଷ ଯୋଗଦେଇଥିଲେ। ଉଭୟଙ୍କ ସହମତିରେ ସିମ୍ପାଜି ନେବା ଓ ପ୍ରତିବଦଳରେ ଜିରାଫ ଦେବା କଥାବାର୍ତ୍ତା ପୁଣି ସଫଳ ହୋଇଥିଲା। ଉଭୟଙ୍କ ନିଷ୍ପତ୍ତିି ଓ ସହମତିକୁ କେନ୍ଦ୍ରୀୟ ଚିିଡିଆଖାନା କର୍ତ୍ତୃପକ୍ଷଙ୍କୁ ପଠାଯାଇଛି, ଖୁବଶୀଘ୍ର ତାଙ୍କର ମଞ୍ଜୁର ମିଳିଯିବ ବୋଲି ମଧ୍ୟ ଜଣାପଡିଛି। ଏହାସହ ଆରିଗିନାର ଆନ୍ନା ଜୁଲୋଜିକାଲ ପାର୍କ ଚେନ୍ନାଇରୁ ହଳେ ହଳଦିଆ ଆନାକୋଣ୍ଡା ଆସିବାର ବାଟ ମଧ୍ୟ ପରିଷ୍କାର ହୋଇଯାଇଛି। ଏଥିନିମନ୍ତେ କଥାବାର୍ତ୍ତା ମଧ୍ୟ ସଫଳ ହୋଇଯାଇଛି। ଆନାକୋଣ୍ଡା ବଦଳରେ ନନ୍ଦନକାନନରୁ ଏକ ପାଣିଗୋଧି ଦେବାକୁ ପଡିବ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କୁହନ୍ତି, ଉଭୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଆଲୋଚନାରେ ସହମତି ମିଳିଛି। ଖରା ଟିକେ କମିଲେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବ। ଖୁବଶୀଘ୍ର କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ମଞୁରି ପତ୍ର ଏଥିନିମନ୍ତେ ମିଳିବାକୁ ଯାଇଛି ବୋଲି କହିଥିଲେ।

Share