ନନ୍ଦନକାନନକୁ ଆସିବ ୪ ଅଣ୍ଡିରା ସିଂହ

ବାରଙ୍ଗ,୧୫-୧(ଡି.ଏନ୍‌.ଏ.): ପ୍ରାଣୀଉଦ୍ୟାନ ନନ୍ଦନକାନନ ପାଇଁ ଖୁସି ଖବର। ଛତିଶଗଡ ରାୟପୁର ଚିଡିଆଖାନାରୁ ଅଣ୍ଡିରା ସିଂହ ଆସିବ। ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧିପାଇଁ ଏଭଳି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ୨ଟି ମାଈ ଜଳହସ୍ତୀ ବଦଳରେ ରାୟପୁର ଚିଡ଼ିଆଖାନାରୁ ନନ୍ଦନକାନନକୁ ଆସିବ ୪ଟି ଏସୀୟ ଅଣ୍ଡିରା ସିଂହ। ଏଥିପାଇଁ ନନ୍ଦନକାନନ ଓ ରାୟପୁର ଚିଡିଆଖାନା ମଧ୍ୟରେ ଚୁଡାନ୍ତ କଥାବାର୍ତ୍ତା ସରିଛି। କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ଉପରେ ମୋହର ମାରିବା କାମ ବାକି ରହିଛି ବୋଲି ଜନ୍ତୁବିଭାଗ ରେଞ୍ଜର ସୁଦୀପ୍ତ ପଣ୍ଡା କହିଛନ୍ତି। ତେବେ ଗତ ଡିସେମ୍ବରରେ ସିଂହ ସଫାରୀରେ ରହୁଥିବା ଏସୀୟ ଅଣ୍ଡିରା ସିଂହ ପିଛାନର ମୃତ୍ୟୁପରେ ନନ୍ଦନକାନନରେ ସିଂହ ସଂଖ୍ୟା ହ୍ରାସ ପାଇ ୧୧ରେ ପହଞ୍ଚିଥିଲା। ସେଥିମଧ୍ୟରେ ୮ହାଇବ୍ରିଡ, ୧ଏସୀୟ,୨ ଆଫ୍ରିକୀୟ ସିଂହ ଥିବା ଜଣାପଡିଛି।

Share