ନନ୍ଦନକାନନରୁ ସାତକୋଶିଆ ଗଲେ ୫ ଘଡ଼ିଆଳ କୁମ୍ଭୀର

ବାରଙ୍ଗ,୨୦ା୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶୁକ୍ରବାର ୫ଟି ଘଡିଆଳ କୁମ୍ଭୀର ସାତକୋଶିଆରେ ଛଡାଯାଇଛି। ନନ୍ଦନକାନନର ତିନିଜଣିଆ ଟିମ ଏହି ଘଡିଆଳ କୁମ୍ଭୀରଙ୍କୁ ସାଙ୍ଗରେ ନେଇ ଅପରାହ୍ନରେ ଯାତ୍ରା ଆରମ୍ଭ କରିଛନ୍ତି। ନନ୍ଦନକାନନରେ ଘଡିଆଳ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧିପାଇବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନିଆଯାଇଛି। ଗତ କିଛିଦିନ ହେବ ନନ୍ଦନକାନନରେ ଘଡିଆଳକୁମ୍ଭୀର ସଂଖ୍ୟା କମିବାରେ ଲାଗିଥିଲା। ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସଙ୍କ ନିର୍ଦ୍ଦେଶରେ ଏକ ଟିମ ରାଜନଗର କୁମ୍ଭୀରବସାରୁ ଅଣ୍ଡା ସଂଗ୍ରହ କରି ଆଣି ନନ୍ଦନକାନନରେ ଏହାର କୃତ୍ରିମ ପ୍ରଜନନ କରିବାପରେ ଏହା ସଫଳ ହୋଇଥିଲା। ଏହାସହ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୭୪ରେ ପହଞ୍ଚତ୍ଥିଲା ବୋଲି ଜନ୍ତୁବିଭାଗ ଦାୟିତ୍ୱରେ ଥିବା ଏସିଏଫ ଅଶୋକ କୁମାର ଦାସ କହିଛନ୍ତି। ଏତେ ସଂଖ୍ୟକ କୁମ୍ଭୀରମାନଙ୍କ ରକ୍ଷଣାବେକ୍ଷଣ ସାଙ୍ଗକୁ ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି କରିବାରୁ ସେମାନଙ୍କୁ ସାତକୋଶିଆ, ମହାନଦୀର ଅବବାହିକା ଆଦି ସ୍ଥାନରେ ଛାଡିବାକୁ ନିଷ୍ପତ୍ତି ହୋଇଥିଲା। ଦୀର୍ଘ ୧୮ବର୍ଷର ବ୍ୟବଧାନ ପରେ ନନ୍ଦନକାନନ ପୁଣିଥରେ କୁମ୍ଭୀର ଛାଡିବା ପ୍ରକ୍ରିୟା ଆରମ୍ଭ କରିଛି। ୨୬ଲକ୍ଷ ଟଙ୍କାର ବ୍ୟୟବରାଦରେ ୪ବର୍ଷର ସମୟସୀମା ଭିତରେ କୁମ୍ଭୀରମାନଙ୍କୁ ସ୍ଥାନାନ୍ତର କରିବାକୁ ସିଦ୍ଧାନ୍ତ ହୋଇଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ଶୁକ୍ରବାର ପ୍ରାୟ ଦେଢବର୍ଷ ବୟସର ୨ଟି ଅଣ୍ଡିରା ଓ ୩ଟି ମାଈ ଘଡିଆଳକୁମ୍ଭୀର ଛାଡିବାକୁ ଟିମ ଯାଇଛି। ପରୀକ୍ଷାମୂଳକ ଭାବେ ଏହି କୁମ୍ଭୀରକୁ ଛଡାଯାଇଉଛି। ରାଜସ୍ଥାନ ଚମ୍ବଲପୁରରୁ ଏକ ସଂସ୍ଥାଠାରୁ ୫ଟି ଟ୍ରାନ୍ସମିଟର କିଣାଯାଇ କୁମ୍ଭୀରଙ୍କ ଦେହରେ ଲଗାଯାଇଛି। ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ଗତିବିଧି ଉପରେ ଲକ୍ଷ ରଖାଯାଇପାରିବ। ତେବେ ପ୍ରଥମ ବର୍ଷରେ ୩୫ଟି କୁମ୍ଭୀର ଛଡାଯିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବାର ଜଣାପଡିଛି।

Share