Categories: ମେଟ୍ରୋ

ନନ୍ଦନକାନନରେ ଅଣ୍ଡିରା ଧୂସର ଗଧିଆ ମୃତ

ବାରଙ୍ଗ,୧୮।୮(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଧବାର ଏକ ନୀଳଗିରି ବାନର ଛୁଆ ମୃତ୍ୟୁ କରିଥିବାର ଦୁଇଦିନ ନ ପୂରୁଣୁ ଶନିବାର ଭୋରୁ ଏକ ଅଣ୍ଡିରା ଧୂସର ଗଧିଆ ଡାକ୍ତରଖାନାରେ ମୃତ୍ୟୁ କରିବା ଘଟଣା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଡାକ୍ତରଖାନାର କର୍ମଚାରୀମାନେ ସକାଳେ ଆସିବାବେଳେ ଗଧିଆଟି ମରିପଡ଼ିଥିବାର ଦେଖିଥିଲେ। ମୃତ୍ୟୁ କରିଥିବା ଅଣ୍ଡିରା ଗଧିଆ ସହ ଏକ ମାଈ ଗଧିଆକୁ ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ମହୀଶୂରରୁ ନନ୍ଦନକାନନକୁ ଆସିଥିଲା। ଏହାମଧ୍ୟରୁ ୨୦୧୯ ମାର୍ଚ୍ଚ ୭ରେ ମାଈ ଗଧିଆଟି ମୃତ୍ୟୁ କରିଥିଲା। ଏହାପରେ ସାଥୀକୁ ହରାଇ ଅଣ୍ଡିରାଟି ଡାକ୍ତରଖାନାର କ୍ୱାରେଣ୍ଟାଟାଇନରେ ନିଃସଙ୍ଗ ଜୀବନ ଜିଇବାକୁ ଆରମ୍ଭ କରିଥିଲା। ଏହାର ସାଥିକୁ ଆଣିବା ପାଇଁ ନନ୍ଦନକାନନର ସ୍ବତନ୍ତ୍ର ପ୍ରକଳ୍ପ ରେଞ୍ଜ ଅଫିସର କୁମର ବେହେରାଙ୍କ ନେତୃତ୍ୱରେ ଏକ ଦଳ ୨ତାରିଖରେ ମଧ୍ୟପ୍ରଦେଶର ଇନଡୋର ଚିଡିଆଖାନାକୁ ଯାଇଥିଲେ। ସେଠାରୁ ଏକ ମାଈ ଗଧିଆକୁ ସାଙ୍ଗରେ ଧରି ଗତ ଅଗଷ୍ଟ ୭ରେ ନନ୍ଦନକାନନରେ ପହଞ୍ଚତ୍ଥିଲେ। କିନ୍ତୁ ସାଥି ଗଧିଆ ଆସିବାପୂର୍ବରୁ ଡାକ୍ତରଖାନାରେ ଥିବା ଅଣ୍ଡିରା ଗଧିଆଟିର ସ୍ବାସ୍ଥ୍ୟରେ ଅବନତି ଦେଖାଦେଇଥିଲା। ଧୀରେ ଧୀରେ ଆହୁରି ଦୁର୍ବଳ ହେବାରୁ ନନ୍ଦନକାନନର ଡାକ୍ତରମାନେ ଚିକିତ୍ସା ସତ୍ତ୍ୱେ ଅଣ୍ଡିରା ଗଧିଆକୁ ବଞ୍ଚଇବାରେ ସକ୍ଷମ ହୋଇପାରି ନ ଥିଲେ। ଏବେ ପୁଣି ମାଈ ଗଧିଆଟି ଏକୁଟିଆ ହୋଇଯାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ।

Share