ନନ୍ଦନକାନନରେ କଲରାପତରିଆ ବାଘ ‘ସୂରଜ’ର ମୃତ୍ୟୁ, ଆସିଲେ ୬ ନୂଆ ଅତିଥି

ବାରଙ୍ଗ,୧୮।୩(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷକ କଲରାପତରିଆ ବାଘ ସୂରଜର ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାକୁ ୧୬ବର୍ଷ ହୋଇଥିଲା । ଦେଢମାସ ହେବ ସେ ଅସୁସ୍ଥ ଥିଲା। ରକ୍ତଜନିତ ରୋଗ ସହ ଯକୃତ ଖରାପ ହେବା ଯୋଗୁ ତା’ର ଚିକିତ୍ସା କରାଯାଉଥିଲା।

୨୦୦୪ ଜୁଲାଇରେ ଭଞ୍ଜନଗରରୁ ୩/୪ମାସର ହୋଇଥିବା ସୂରଜ ନନ୍ଦନକାନନକୁ ଆସିଥିଲା। ଏହାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୩ ଅଣ୍ଡିରା, ୨ଟି ମାଈ କଲରାପତାରିଆ ବାଘ ରହିଛନ୍ତି। ନନ୍ଦନକାନନକୁ ୪ ଅଣ୍ଡିରା ଏସୀୟ ସିଂହ ଓ ଏକ ହଳ କୋକିଶିଆଳି କାନନପେଣ୍ଡାରୀ ଚିଡ଼ିଆଖାନା ବିଳାସପୁର, ଛତିଶଗଡ଼ରୁ ଆସି ମଙ୍ଗଳବାର ରାତିରେ ପହଞ୍ଚିଛନ୍ତି। ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ଏମାନେ ଆସିଥିବା ଜଣାପଡ଼ିଛି। ଏହା ବଦଳରେ ନନ୍ଦନକାନନକୁ ଦୁଇଟି ଜଳହସ୍ତୀ ଦେବାକୁ ପଡ଼ିବ। ଫଳରେ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ପାଇ ୧୫ ଓ କୋକିଶିଆଳି ସଂଖ୍ୟା ୫ରେ ପହଞ୍ଚିଥିବା ଜଣାପଡ଼ିଛି।

Share