ନନ୍ଦନକାନନରେ ନୀଳଗିରି ବାନର ଅସୁସ୍ଥ, ଚିନ୍ତାରେ କର୍ତ୍ତୃପକ୍ଷ

ବାରଙ୍ଗ,୨୨।୯(ଡି.ଏନ୍‌.ଏ.): ନନ୍ଦନକାନନରେ ଗତ ସପ୍ତାହ ମଧ୍ୟରେ ହର୍ପିସ ଭାଇରସ ଯୋଗୁ ହାତୀଙ୍କ ମୃତ୍ୟୁ ଖବରକୁ ନେଇ କର୍ତ୍ତୃପକ୍ଷ ଚିନ୍ତାରେ ଥିବାବେଳେ ଶନିବାର ଅନ୍ୟତମ ଆକର୍ଷକ ନୀଳଗିରି ବାନର ଅସୁସ୍ଥ ହୋଇପଡିବା ଚିନ୍ତା ଆହୁରି ବଢ଼ାଇ ଦେଇଛି। ନନ୍ଦନକାନନକୁ ଆସିବାପରଠାରୁ ନୀଳଗିରିଟି ଚର୍ଚ୍ଚାରେ ରହିଛି। ଏନକ୍ଲୋଜରରୁ ବାହାରିବା ଓ ପରେ ଦୁଇ ବାନରର ମୃତ୍ୟୁକୁ ନେଇ କର୍ତ୍ତୃପକ୍ଷ ଓ ପର୍ଯ୍ୟଟକ ନିରାଶ ହୋଇଥିଲେ। ଏବେ ପୁଣି ଜଣେ ଅସୁସ୍ଥ ହେବା ନାନା ଆଶଙ୍କା ସୃଷ୍ଟି ହେଉଛି। ଏକମାସରୁ ଊର୍ଦ୍ଧ୍ୱ ଦିନ ଧରି ଏକୁଟିଆଥିବା ଏହି ମାଈ ବାନରଟି ଶୁକ୍ରବାରଠାରୁ ଖାଇବା କମାଇଛି। ବିଶେଷକରି ଫଳ ଆହର କରିନାହିଁ। ଏପରିକି ଝାଡ଼ା ଓ ପରିଶ୍ରା ମଧ୍ୟ ଠିକଭାବେ ହୋଇ ନ ଥିବାର ଜଣାପଡିଛି। ନୀଳଗିରି ଅସୁସ୍ଥ ହେବାର ସ୍ପଷ୍ଟ କାରଣ ଜଣାପଡି ନାହିଁ। ଗତ ୨୦୧୭ ସେପ୍ଟେମ୍ବର ୨୬ରେ ଚେନ୍ନାଇ ଭାଣ୍ଡ୍ରାଲୁର ଚିଡ଼ିଆଖାନାରୁ ହଳେ ନୀଳଗିରି ବାନର ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିଥିଲେ। ଆସିବାର ୩ଦିନ ପରେ ମାଈ ବାନରଟି ଏନକ୍ଲୋଜରରୁ ବାହରିଥିବାବେଳେ ପୁଣି ୨୦ମାର୍ଚ୍ଚ ୨୦୧୮ରେ ଦୁଇଜଣଯାକ ଏନକ୍ଲୋଜରରୁ ବାହାରିଥିଲେ। କିନ୍ତୁ ୩୧ମେ ୨୦୧୯ରେ ଅଣ୍ଡିରା ବାନର ମୃତ୍ୟୁପରେ ମାଈଟି ଏକୁଟିଆ ହୋଇଯାଇଥିଲା। ଅଣ୍ଡିରାର ମୃତ୍ୟୁର ପରଦିନ ମାଇଟି ଏକ ଛୁଆ ଜନ୍ମ ଦେଇଥିବାବେଳେ ଅଗଷ୍ଟ୧୪ରେ ଛୁଆଟିର ମଧ୍ୟ ମୃତ୍ୟୁ ଘଟିଥିଲା। ସେହିଦିନଠାରୁ ମାଈ ବାନରଟି ଏକୁଟିଆ ହୋଇ ନିଃସଙ୍ଗ ଜୀବନ ଜିଉଛି।

Share