ନନ୍ଦନକାନନରେ ପୁଣି ଗଡ଼ିଲା ଶିଶୁ ରେଳଗାଡ଼ି

ବାରଙ୍ଗ,୨୦।୧୧(ଡି.ଏନ୍‌.ଏ.): ବହୁ ବିଭ୍ରାଟ ପରେ ଶୁକ୍ରବାର ନନ୍ଦନକାନନରେ ଶିଶୁ ରେଳଗାଡି(ଟୟ ଟ୍ରେନ) ପୁଣି ଚାଲିିଛି। ଶେଷ ଟ୍ରିପ୍‌ ପର୍ଯ୍ୟନ୍ତ ଠିକ୍‌ ଭାବେ ଚାଲିଥିବା ବେଳେ କୌଣସି ତ୍ରୁଟି ଦେଖାଦେଇ ନ ଥିଲା। ତେବେ ଶିଶୁ ରେଳଗାଡ଼ି ୬ଟି ଟ୍ରିପ୍‌ କରିଥିବାବେଳେ ମୋଟ ୩୧୯ଜଣ ପର୍ଯ୍ୟଟକଙ୍କୁ ବୁଲାଇଛି। ଶିଶୁ ରେଳଗାଡି ଆରମ୍ଭ ହୋଇ ଚାଲିବା ମଧ୍ୟରେ ୨ଥର ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ହୋଇଥିଲା। ଏବେ ମରାମତି କରାଯାଇ ମରାମତି କରାଯାଇ ଶୁକ୍ରବାର ପୁନଃ ପ୍ରଚଳନ କରାଯାଇଛି। ଏ ସର୍ମ୍ପକରେ ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି, ଭୁବନେଶ୍ବର ଆଇଆଇଟିର ୬ଜଣ ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଆସି ଟ୍ରେନଟିକୁ ଅନୁଧ୍ୟାନ କରିବା ପରେ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଟ୍ରେନରେ କୌଣସି ପ୍ରକାର ସମସ୍ୟା ଦେଖା ନ ଦେବା ପାଇଁ ଛୋଟ ସଂଶୋଧନ କରିବାକୁ ଏହି ଦଳ ପରାମର୍ଶ ଦେଇଛନ୍ତି। ଏଥିସହ ଶିଶୁ ରେଳଗାଡି ଯୋଗାଣକାରୀ ସଂସ୍ଥାକୁ ଯାନ୍ତ୍ରିକ ଓ ବୈଦ୍ୟୁତିକ ବିଶେଷଜ୍ଞ ଦଳ ଆସି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ। ଏହାପରେ ପ୍ରତିଦିନ ୬ ଟ୍ରିପ୍‌ ପ୍ରଚଳନକୁ ବୃଦ୍ଧି କରାଯିବ ବୋଲି ଉପନିର୍ଦ୍ଦେଶକ କହିଛନ୍ତି। ସେହିଭଳି କୋଭିଡ୍‌ କଟକଣା ଭିତରେ ନନ୍ଦନକାନନ ଅଗଷ୍ଟ ୩ରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲା। ତେବେ ଖୋଲିବା ପରଠାରୁ ଏପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇ ସମୁଦାୟ ପର୍ଯ୍ୟଟକଙ୍କ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିଛି। ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ୧୨,୫୬୪ ଜଣ ପର୍ଯ୍ୟଟକ ବୁଲି ଆସିଥିଲେ। ନନ୍ଦନକାନନକୁ ଅଫ୍‌ଲାଇନରେ ୧୧,୯୯୮ଜଣ ଓ ଅନ୍‌ଲାଇନରେ ୧୯୧ଜଣ ପର୍ଯ୍ୟଟକ ଆସିଥିଲେ ବୋଲି ଟିକେଟ ବିକ୍ରିରୁ ଜଣାପଡିଛି। ସେହିପରି ବଟାନିକାଲ ଗାର୍ଡେନକୁ ୩୭୫ ପର୍ଯ୍ୟଟକ ଆସିଥିଲେ ବୋଲି ନନ୍ଦନକାନନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Share