ନନ୍ଦନକାନନରେ ଭାଇରସ୍‌ ଭୟ: ବଦଳିଲା ଛୁଆହାତୀ କମଳା, ଗୌରୀଙ୍କ ଠିକଣା

ବାରଙ୍ଗ,୧୭-୯(ଡି.ଏନ୍‌.ଏ):ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ହରପିସ ଭୂତାଣୁ ଯୋଗୁ ଦୁଇଟି ହାତୀଙ୍କର ମୃତ୍ୟୁପରେ ହାତୀଶାଳରେ ଥିବା ଦୁଇ ହାତୀଛୁଆ କମଳା ଓ ଗୌରୀଙ୍କର ଠିକଣା ବଦଳିଯାଇଛି। ଆଉ ପର୍ଯ୍ୟଟକମାନେ କମଳା ଓ ଗୌରୀକୁ ହାତୀଶାଳରେ ଦେଖିବାର ସୁଯୋଗ ପାଇବେ ନାହିଁ। ହାତୀଶାଳରେ ଥିବା ପ୍ରେମା, ବାସନ୍ତୀ, ହୀରାଙ୍କଠାରୁ ସେମାନଙ୍କୁ ଅଲଗା କରାଯାଇଛି। କମଳା ଓ ଗୌରୀକୁ ଜଳହସ୍ତୀ ଏନକ୍ଲୋଜର ପାଖରେ ଥିବା ଶାନ୍ତୀ, ମୈତ୍ରୀ, ତୃପ୍ତି, ସ୍ମୃତି ଚାରି କଟେଜ ପରିସର ହିଁ ନୂଆ ଠିକଣା ହୋଇଛି। ଏହି କଟେଜ ପରିସରକୁ ସଫା କରିବା ସହ ମାଟିକୁ ସମାନ କରାଯାଇ ଏକ ଅସ୍ଥାୟୀ ଘର ହୋଇଛି। ଏହି ଅସ୍ଥାୟୀ ଘରର ଚତୁଃପାର୍ଶ୍ୱକୁ ପ୍ରତିଷେଧକ ଔଷଧ ଦ୍ୱାରା ଛିଞ୍ଚନ କରାଯାଇଛି। ସବୁଠାରୁ ଛୋଟ ହାତୀ ମାମା ନନ୍ଦନକାନନକୁ ଆସିବା ପରଠାରୁ ଡାକ୍ତରଖାନା ପାର୍ଶ୍ୱରେ ରହିଥିବାବେଳେ ହାତୀଶାଳରେ ଥିବା ପ୍ରେମା, ବାସନ୍ତୀ, ହୀରାଙ୍କୁ ଏକା ସାଙ୍ଗରେ ନୁହେଁ ଅଲଗା ଅଲଗା କରି ରଖାଯାଇଛି। ସମସ୍ତ ହାତୀଙ୍କର ରକ୍ତନମୁନା ସଂଗ୍ରହ କରାଯାଇ ସୋମବାର ଏଠାକାର ଡାକ୍ତରମାନେ ଓୟୁଏଟିକୁ ପଠାଇଛନ୍ତି। ଓୟୁଏଟିରେ ଏହି ରକ୍ତନମୁନା ପରୀକ୍ଷା ପରେ ଆସାମକୁ ପୁନଃ ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡିଛି ା ସମସ୍ତ ହାତୀଙ୍କୁ ଡାକ୍ତରମାନଙ୍କ ନଜରବନ୍ଦିରେ ରଖାଯିବା ସହ କର୍ମଚାରୀ ଓ ମାହୁନ୍ତମାନେ ସଜାଗ ରହି ସେମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଜଣାଇବାକୁ କୁହାଯାଇଥିବାର ଜଣାପଡିଛି।

Share