ନନ୍ଦନକାନନରେ ହାତୀ ମୃତ୍ୟୁକୁ ନେଇ ବୈଷୟିକ କମିଟିର ବୈଠକ, ଚିକିତ୍ସା ପଦ୍ଧତିକୁ କଲେ ତର୍ଜମା

ବାରଙ୍ଗ,୨୨।୯(ଡି.ଏନ୍‌.ଏ.): ନନ୍ଦନକାନନରେ ଗତ କିଛିଦିନ ମଧ୍ୟରେ ଲଗାତର ହାତୀ ମୃତ୍ୟୁ ହେଉଥିବାରୁ ଏହାର ମୁଖ୍ୟ କାରଣ ଖୋଜିବା ପାଇଁ ଶନିବାର ବୈଷୟିକ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନନ୍ଦନକାନନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଟିମର ଅଧ୍ୟକ୍ଷ ଡ.ଏସ୍‌.କେ.ରାୟଙ୍କ ସଭାପତିତ୍ୱରେ ଡ.ଏଲ.ଏନ. ଆଚାର୍ଯ୍ୟ, ଡ.ଜେ.ଏନ.ମହାନ୍ତି, ନିର୍ଦ୍ଦେଶକ ଶଶିପଲ, ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ନନ୍ଦନକାନନର ତିନିଜଣ ଡାକ୍ତରଙ୍କ ସହ ଜନ୍ତୁ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ବୈଷୟିକ କମିଟିର ସଦସ୍ୟମାନେ ଡାକ୍ତରମାନଙ୍କର ଚିକିତ୍ସା ପ୍ରଣାଳୀ ଉପରେ ତର୍ଜମା କରିଥିଲେ। ନନ୍ଦନକାନନରେ ଥିବା ଅନ୍ୟ ୪ ହାତୀଙ୍କର ରକ୍ତନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ ଅଧିକ କ’ଣ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେନେଇ ମଧ୍ୟ ପଚାରି ବୁଝିଥିଲେ। ଶେଷରେ ଅଧ୍ୟକ୍ଷ ରାୟ ଖବରଦାତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତରରେ କହିଥିଲେ, ଭାଇରସକୁ ରୋକାଯିବା ପାଇଁ ଆସାମ, କେରଳର ଏକ ବିଶେଷଜ୍ଞ ଟିମକୁ ଡକାଯିବାର ବ୍ୟବସ୍ଥା କରାଯାଉଛି। ନନ୍ଦନକାନନରେ ଏବେ ୪ଟି ହାତୀ ମଧ୍ୟରେ ସବୁଠାରୁ ଛୋଟହାତୀ ମାମାର ବୟସ ୨ବର୍ଷ ଓ ହୀରାର ବୟସ ୨୧ବର୍ଷ। ଯଦିଓ ଏହି ଭୁତାଣୁ ଛୋଟ ହାତୀମାନଙ୍କୁ ଆକ୍ରାନ୍ତ କରିଥାଏ ତଥାପି ନନ୍ଦନକାନନ ପକ୍ଷରୁ ହୀରା ଓ ମାମା ସମେତ ସମସ୍ତ ହାତୀ ଉପରେ ସର୍ତକ ଦୃଷ୍ଟି ରଖାଯାଇଛି। ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି, ଜୁଲି ମଲାପରଠାରୁ ଆମେ ଆମେରିକାର ସ୍ମିଥସୋନିଆନ୍‌ସ ଜୁ ଓ ରିସର୍ଚ୍ଚ ସେଣ୍ଟର, ଆସାମର ହର୍ପିସ ଗବେଷଣା କେନ୍ଦ୍ର ଓ କେରଳର ଜଙ୍ଗଲ ବିଭାଗ ସହ ଯୋଗାଯୋଗରେ ରହିଛୁ। ସମସ୍ତ ହାତୀମାନଙ୍କୁ ଆଣ୍ଟିଭାଇରାଲ ଡୋଜ ଦିଆଯିବା ସହ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। ଶନିବାର ହର୍ପିସ ଭୁତାଣୁର ଲକ୍ଷଣ କୌଣିସ ହାତୀ କ୍ଷେତ୍ରରେ ଦେଖିବାକୁ ମିଳି ନାହିଁ। ଅନ୍ୟପଟେ ମୃତ୍ୟୁବରଣ କରିଥିବା ଜୁଲି, ଚନ୍ଦନ, ଗୌରୀ, କମଳାର ମାହୁନ୍ତ ଅର୍ଜୁନ ଖମାରୀ, ଧିରେନ ସାମଲ, ପ୍ରଦୀପ୍ତ ବାଗ, ରବୀନ୍ଦ୍ରନାଥ ଭୋଇଙ୍କୁ ହାତୀସଫାରୀର ହାତୀଶାଳକୁ ନ ଯିବାକୁ ଡାକ୍ତରମାନେ ଶନିବାର ମନାକରିବାକୁ ନେଇ ମାହୁନ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Share