ନନ୍ଦନକାନନରେ ହେଲା ପକ୍ଷୀ ଗଣନା

ବାରଙ୍ଗ,୪ା୧(ଡି.ଏନ୍‌.ଏ): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶୁକ୍ରବାର ଦିନିକିଆ ପକ୍ଷୀଗଣନା କାର୍ଯ୍ୟ ସରିଛି। ଚଳିତବର୍ଷର ଗଣନା ଅନୁଯାୟୀ ଗତବର୍ଷଠାରୁ ଏଥର ନନ୍ଦନକାନନକୁ ପକ୍ଷୀମାନଙ୍କର ଆଗମନ ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି। ପର୍ଯ୍ୟଟକ ପରିଚାଳନା ଦାୟିତ୍ୱରେ ଥିବା ଏସିଏଫ୍‌ ଅମୂଲ୍ୟ କୁମାର ପରିଡାଙ୍କ ନେତୃତ୍ୱରେ ୫୦ଜଣ ସଦସ୍ୟଙ୍କୁ ଗଠିତ ୫ଟି ଦଳ ଏହି ପକ୍ଷୀ ଗଣନା କାର୍ଯ୍ୟରେ ସାମିଲ ଥିଲେ। ଝିପିଝିପି ବର୍ଷା ସହ କୋହଲା ପାଗରେ ଏହି ଦଳ କାଞିଆହ୍ରଦ, କିଆଖଣି, ବାଳିଆଗଣ୍ଡ, ବଡ଼ବାଙ୍କ, କଟୁରିଘସା ଆଦି ଜଳ ଉତ୍ସ ସ୍ଥାନଗୁଡ଼ିକୁ ଯାଇ ପକ୍ଷୀଗଣନା କରିଥିଲେ। ଗଣନାବେଳେ କାପରଖାଇ, ଅଞ୍ଜନା, ଡାଟର, ରାଣିବଗ, କାମପକ୍ଷୀ, ମାଛରଙ୍କା, ପାଣିକୁଆ, ଗେଣ୍ଡାଳିଆ, ଚିତ୍ରାଗେଣ୍ଡାଳିଆ, ଅନ୍ଧାରିବଗ, ଛୋଟବଡ ବଗକୁ ମିଶାଇ ୨୮ପ୍ରଜାତିର ୧୫୯୪ଟି ପକ୍ଷୀ ଜଳଉତ୍ସରେ ଥିବା ଗଣନାକାରୀ ଦଳ ଦେଖିଥିଲେ। ଯାହାକି ଗତବର୍ଷଠାରୁ ୮୭୪ଟି ପକ୍ଷୀ ଚଳିତବର୍ଷ କମ ଆସିଥିବାର ଜଣାପଡିଥିଲା। ପାଗଖରାପ ଯୋଗୁ ପକ୍ଷୀ ସଂଖ୍ୟା କମିଲା ବୋଲି ଏସିଏଫ ଅମୂଲ୍ୟ କୁମାର ପରିଡା କହିଛନ୍ତି। ନନ୍ଦନକାନନର ଜନ୍ତୁ ବିଭାଗର ସହାୟତାରେ ପକ୍ଷୀ ବିଶେଷଜ୍ଞ ଶକ୍ତିନନ୍ଦ, ଡ.ଶିବପ୍ରସାଦ ପରିଡା, ମମତା ପରମର, ରମେଶ ଝଙ୍କାର, ଶିକ୍ଷାବିଭାଗ ଅଧିକାରୀ ମିଲନ କୁମାର ପଣ୍ଡା, ରେଞ୍ଜର ଶୁଭଶ୍ରୀ ପଣ୍ଡାଙ୍କ ସମେତ ସୋଆ ବିଶ୍ୱବିଦ୍ୟାଳୟ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ଓୟୁଏଟି, ବିଜେବି, ରାଜଧାନୀ, ମହର୍ଷି କଲେଜର ଛାତ୍ରୀଛାତ୍ରମାନେ ସାମିଲ ଥିଲେ।

Share