ନନ୍ଦନକାନନ, ନୀଳାଚଳ ଏକ୍ସପ୍ରେସର ସମୟ ପରିବର୍ତ୍ତନ

ଭୁବନେଶ୍ୱର,୩।୧୨:(ବ୍ୟୁରୋ): ପୁରୀ-ନୂଆଦିଲ୍ଲୀ ଆନନ୍ଦବିହାର ଟର୍ମିନାଲ ନନ୍ଦନକାନନ ଓ ପୁରୀ-ନୂଆଦିଲ୍ଲୀ ଆନନ୍ଦବିହାର ଟର୍ମିନାଲ ନୀଳାଚଳ ଏକ୍ସପ୍ରେସର ଗୟା ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ଶନ ମଧ୍ୟରେ ଚଳାଚଳ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆସନ୍ତା ୧୫ ତାରିଖଠାରୁ ନନ୍ଦନକାନନ ଏକ୍ସପ୍ରେସ୍‌ ପୁରୀରୁ ଦିଲ୍ଲୀ ଅଭିମୁଖେ ଯିବାବେଳେ ଗୟା ଷ୍ଟେଶନରୁ ରାତି ୨.୧୦ରେ ଛାଡ଼ିବ ଓ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ଶନରୁ ଭୋର ୫ଟା ୧୫ରେ ଛାଡ଼ିବ। ଦିଲ୍ଲୀରୁ ପୁରୀ ଫେରିବା ସମୟରେ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ଶନରୁ ସନ୍ଧ୍ୟା ୬ଟା ୧୩ ଓ ଗୟା ଷ୍ଟେଶନରୁ ରାତି ୮ଟା ୫୫ରେ ଛାଡ଼ିବ। ସେହିପରି ନୀଳାଚଳ ଏକ୍ସପ୍ରେସ୍‌ ପୁରୀରୁ ଯାତ୍ରା ସମୟରେ ଗୟା ଷ୍ଟେଶନରୁ ରାତି ୩ଟା ୧୫ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ଶନରୁ ସକାଳ ୬ଟା ୨୫ରେ ଛାଡ଼ିବ। ଦିଲ୍ଲୀରୁ ଫେରିବା ସମୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ଶନରୁ ରାତି ୯ଟା ୧୮ରେ ଛାଡ଼ିବାକୁ ଥିବାବେଳେ ଗୟା ଷ୍ଟେଶନରୁ ରାତି ୧୨ଟା ୨୦ରେ ଛାଡ଼ିବ। ସୂଚନାଯୋଗ୍ୟ, ଏହି ଦୁଇ ଷ୍ଟେଶନ ବ୍ୟତୀତ ଅନ୍ୟ କୌଣସି ଷ୍ଟେଶନରେ ସମୟସୂଚୀ ପରିବର୍ତ୍ତନ କରାଯାଇ ନାହିଁ ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Share