ନନ୍ଦନକାନନ ପାଇଁ ଅଡ଼ୁଆ ସାଜିଛି ବାଉଁଶ ଗଛ

ବାରଙ୍ଗ,୩୧।୭(ଡି.ଏନ୍‌.ଏ.): ବାତ୍ୟା ପ୍ରକୋପରେ ଅର୍ଦ୍ଧାଧିକ ନଷ୍ଟ ହୋଇଥିବା ନନ୍ଦନକାନନ ଚତୁଃପାର୍ଶ୍ୱକୁ ଧୀରେ ଧୀରେ ସଜଡା ଯାଉଥିବାବେଳେ ଏବେ ଅଡୁଆ ସାଜିଛି ବାଉଁଶ ଗଛ। ଏହି ବାଉଁଶ ପତ୍ର ହଁି ଜୀବଜନ୍ତୁମାନଙ୍କ ପାଇଁ ବିପଦର କାରଣ ପାଲଟିଛି। ନନ୍ଦନକାନନରେ ଏତେ ପରିମାଣର ଥିବା ବାଉଁଶ ଗଛକୁ କାଟିବା ସମ୍ଭବପର ନ ଥିବାବେଳେ ଫନୀରେ ଭାଙ୍ଗି ଯାଇଥିବା ଗଛର ମୂଳ ଉପଡାଯାଉଛି। ଏହାସହ ଗଛର ତଳପାର୍ଶ୍ୱର ଡାଳଗୁଡ଼ିକକୁ କାଟି ଦିଆଯାଉଛି। ନନ୍ଦନକାନନର ପୂର୍ବାବସ୍ଥାକୁ ଫେରାଇବା ପାଇଁ ଆନ୍ଧ୍ରପ୍ରଦେଶରୁ ବିଭିନ୍ନ ଗଛ ଅଣାଯାଇ ପରିସରରେ ଲଗାଯାଉଛି। ଏହାସହ ନଷ୍ଟ ହୋଇଯାଇଥିବା ବାଉଁଶ ଗଛଗୁଡିକ ଯେଭଳି ପଶୁପକ୍ଷୀଙ୍କ ପାଇଁ କୌଣସି କ୍ଷତି ନ ହେବ ସେଥିପ୍ରତି ଧ୍ୟାନ ରଖାଯାଉଛି। କାରଣ ଏହି ବାଉଁଶଗଛର ପତ୍ରଗୁଡିକ ତଳେ ପଡିବାପରେ ବର୍ଷାକାକରରେ ପଚି ଟିଙ୍କ ସୃଷ୍ଟି ହେଉଛି ବୋଲି ଜନ୍ତୁ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ତେଣୁ ଏନକ୍ଲୋଜରଗୁଡ଼ିକରେ ଥିବା ବାଉଁଶ ଗଛଗୁଡିକୁ ଉଞ୍ଛିବା କାର୍ଯ୍ୟରେ ଲାଗିପଡିଛି ଜନ୍ତୁବିଭାଗ। ଗତ ମାସରେ ଓୟୁଏଟିର କେତେକ ଅଧିକାରୀମାନେ ନନ୍ଦନକାନନ ପରିଦର୍ଶନରେ ଆସିଥିବାବେଳେ ବାଉଁଶ ଗଛ ନଷ୍ଟ ହେବା ପତ୍ରଗୁଡ଼ିକ ଝାଉଁଳି ପଡି ଦେଖି ଟିଙ୍କ ସୃଷ୍ଟି ହେବାର ଥିବାରୁ କର୍ତ୍ତୃପକ୍ଷଙ୍କୁ ଯଥାଶୀଘ୍ର ସଫାସୁତରା କରିବା ପାଇଁ ପରାମର୍ଶ ଦେଇଥିଲେ। ଅର୍ଦ୍ଧଭଗ୍ନାବସ୍ଥା ଓ ଶୋଇରହିଥିବା ବାଉଁଶଗଛଗୁଡିକୁ କାଟିବା ସହ ସମ୍ପୂର୍ଣ ଭାଙ୍ଗି ମୂଳଥିବା ଗଛଗୁଡିକୁ ମଧ୍ୟ ଉପୁଡାଯାଉଛି। ସବୁଦିନେ ଏନ୍‌କ୍ଲୋଜରଗୁଡିକ ସହ ଡିସପ୍ଲେଗୁଡିକର ଝାଡୁମରା ହେଉଥିବାବେଳେ ଏହି ଗଛଗୁଡିକର ମୂଳକୁ ଝାଡୁମାରିବାରେ ଅସୁବିଧା ସୃଷ୍ଟି ହୋଇଥାଏ। ତଳେ ପଡୁଥିତ୍ବା ପତ୍ରଗୁଡିକ ପଚି ଟିଙ୍କ ସୃଷ୍ଟି ହେବାରୁ ଏନକ୍ଲୋଜରରେ ରହୁଥିବା ପଶୁପକ୍ଷୀଙ୍କ ପାଇଁ ବିପଦର କାରଣ ସାଜିଥାଏ। କାରଣ ଏହି ପତ୍ର ସବୁ ସେମାନେ ଖାଇଦେଲେ କୌଣସି ରୋଗ ହେବାର ଆଶଙ୍କା ଥାଏ। ଏଣୁ ଏବେ ବିଭିନ୍ନ ବାଘ, ଏମୁ, ଅଷ୍ଟ୍ରିଜ ଆଦି ଏନକ୍ଲୋଜରରେ ଜନ୍ତୁ ବିଭାଗ ପକ୍ଷରୁ କର୍ମଚାରୀମାନଙ୍କୁ ଏହି କାମରେ ଲଗାଯାଇଥିବାର ଦେଖିବାକୁ ମିଳିଛି। ଏ ସର୍ମ୍ପକରେ ଜନ୍ତୁ ବିଭାଗ ଦାୟିତ୍ୱରେ ଥିବା ଏସିଏଫ ଅଶୋକ କୁମାର ଦାସ କୁହନ୍ତି, ବାଉଁଶ ଗଛ ମୂଳରେ ଝାଡୁମାରିବା କଷ୍ଟ ହେଉଛି। ମୂଳରେ ପତ୍ରପଡି ବର୍ଷା ପାଣିରେ ପଚି ଟିଙ୍କର ବାହକ ସାଜୁଛନ୍ତି। ନନ୍ଦନକାନନରେ ବହୁ ବାଉଁଶଗଛ ଥିବାରୁ ସେସବୁକୁ କାଟିବା ସମ୍ଭବପର ନୁହେଁ। ତେଣୁ ଭାଙ୍ଗିଥିବା ଗଛର ମୂଳକୁ ଉପାଡିବା ସହ ଗଛସବୁକୁ ତଳପଟୁ ଉଞ୍ଛୁଡା ଯିବ, ଯେପରି ଓଳାଇବାରେ ଅସୁବିଧା ନ ହେବ।

Share