ନନ୍ଦିଗାଁ ଡକାୟତି ଘଟଣା : ୬ ଅଭିଯୁକ୍ତ କୋର୍ଟ ଚାଲାଣ

କୋରାପୁଟ,୩।୧୦(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ନନ୍ଦିଗାଁ ଗ୍ରାମରେ ଗତ ସେପ୍ଟେମ୍ବର ୧୩ ରାତିରେ ହୋଇଥିବା ଏକ ବଡ଼ଧରଣର ଡକାୟତି ଘଟଣାରେ ଜଡ଼ିତ ୬ ଅଭିଯୁକ୍ତଙ୍କୁ ଗୁରବାର କୋର୍ଟ ଚାଲାଣ କରାଯାଇଥିବା କୋରାପୁଟ ସଦର ଥାନାଧିକାରୀ ସମର୍ପିତା ସ୍ବାଇଁ ସୂଚନା ଦେଇଛନ୍ତି। ଗିରଫ ଡକାୟତମାନେ ହେଲେ ବିସିଙ୍ଗପୁର ଥାନା ଅଞ୍ଚଳର ବି. ଜାନିଗୁଡା ଗ୍ରାମର ପବିତ୍ର ଖୋସ୍‌ଲା(୨୫), ନରେଶ ଖରା(୩୦), ତୁଳାରାମ ହରିଜନ(୩୦) କଦମଗୁଡ଼ା ଗ୍ରାମର ଲାଲୁ ହିଆଲ(୨୦), ପାଟସିଲ ଗ୍ରାମର ରମେଶ ଖରା(୨୪)ଏବଂ ନବରଙ୍ଗପୁର ଜିଲାର କସାଗୁମୁଡା ଥାନା ଅନ୍ତର୍ଗତ ଝାରଖଣ୍ଡପୁର ଗ୍ରାମର ଅଞ୍ଜନ ଆଶା(୨୫)। ଏହି ଡକାୟତି ଘଟଣାରେ ରମେଶ ଓ ପବିତ୍ର ମାଷ୍ଟରମାଇଣ୍ଡ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଡକାୟତମାନଙ୍କ ଫୋନ୍‌ ଟ୍ରାକିଂ କରାଯାଇ ଗିରଫ କରାଯାଇଛି। ଏମାନଙ୍କଠାରୁ ନଗଦ ୫୦ହଜାର ଟଙ୍କା ସମେତ ସୁନା କାନଫୁଲ ୨ ହଳ, ଗୋଟିଏ ନାକଫୁଲ, ଗୋଟିଏ ମୋବାଇଲ, ୨ଟି ବାଇକ୍‌ ଜବତ କରାଯାଇଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୩ ତାରିଖ ବିଳମ୍ବିତ ରାତିରେ ଦଶମନ୍ତପୁର ବ୍ଲକର ନନ୍ଦିଗାଁ ଗ୍ରାମର ହାଟପଦା ନିକଟରେ ଥିବା ଶିବ ଖରା ଓ ଶୁଭମଣି ଖରାଙ୍କ ଘରେ ଡକାୟତି ହୋଇଥିଲା। ମୁଖାପିନ୍ଧା ୪ ଡକାୟତ କବାଟ ଭାଙ୍ଗି ଘରେ ପଶିବା ସହ ପରିବାର ସଦସ୍ୟଙ୍କୁ ଭୟ ଦେଖାଇ ନଗଦ ୭୪ହଜାର ଟଙ୍କା ସହ ସୁନାଗହଣା ଲୁଟି ନେଇଥିଲେ। ଲୁଟ୍‌ବେଳେ ଅନ୍ୟ ଦୁଇ ଡକାୟତ ବାହାରେ ଜଗି ରହିଥିଲେ ବୋଲି ଶୁଭମଣି ସଦର ଥାନାରେ ସେପ୍ଟେମ୍ବର ୧୪ରେ ଏତଲା ଦେଇଥିଲେ। ଏହା ପରେ ଥାନାରେ ୯୧/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା। ଗୁରୁବାର କୌଣସି ସୂତ୍ରରୁ ସୂଚନା ପାଇ ସଦର ଥାନାଧିକାରୀ ସମର୍ପିତା ସ୍ବାଇଁ ସଦଳବଳେ ବିସିଙ୍ଗପୁର ଅଞ୍ଚଳରୁ ଏହି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।