ନବଜାତକ ପେଟ ବାହାରେ ପାକସ୍ଥଳୀ: ଚିକିତ୍ସା ପାଇଁ ଶିଶୁଭବନରେ ଭର୍ତ୍ତି

କଟକ ଅଫିସ,୧୭ା୨: କଟକ ଶିଶୁଭବନରେ ଜଣେ ନବଜାତକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କ ପେଟ ବାହାରକୁ ଲମ୍ବି ଆସିଛି ଅନ୍ତଃନଳୀ ଓ ପାକସ୍ଥଳୀ। ଶିଶୁଭବନ ଆଶୁ ଚିକିତ୍ସା କେନ୍ଦ୍ରର ୩୫ନଂ. ବେଡରେ ଉକ୍ତ ନବଜାତକଙ୍କୁ ରଖାଯାଇଛି। ଖୁବ୍‌ଶୀଘ୍ର ଅସ୍ତ୍ରୋପଚାର ମାଧ୍ୟମରେ ନବଜାତକଙ୍କ ପାକସ୍ଥଳୀ ଓ ଅନ୍ତଃନଳୀକୁ ପେଟ ଭିତରେ ରଖାଯିବ ବୋଲି ଡା. ପ୍ରଦୀପ କୁମାର ଜେନା କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲା ନୂଆସାହି ଗ୍ରାମର କୁମାର ଗୌଡଙ୍କ ସ୍ତ୍ରୀ ସୁଜାତା ଶନିବାର ବେଲଗୁଣ୍ଠା ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରେ ଶିଶୁଟିର ପେଟ ବାହାରକୁ ଅନ୍ତଃନଳୀ ଓ ପାକସ୍ଥଳୀ ବାହାରିଥିବା ଡାକ୍ତରମାନଙ୍କ ନଜରକୁ ଆସିଥିଲା। ତୁରନ୍ତ ସୁଜାତା ଓ ନବଜାତକଙ୍କୁ ଶିଶୁଭବନକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଶ୍ୱସ୍ତି ଫାଉଣ୍ଡେଶନ ଓ ଶ୍ରଦ୍ଧା ଫାଉଣ୍ଡେସନର କର୍ମକର୍ତ୍ତା ପୂଜା ପ୍ରିୟଦର୍ଶନୀ, ଅଭିନାଶ ସେନାପତି, ମାନସ ରଞ୍ଜନ ଦାସ, ସଂଗ୍ରାମ କେଶରୀ ଦାସ ପ୍ରମୁଖ ନବଜାତକର ଚିକିତ୍ସା ନେଇ ଅଣ୍ଟା ଭିଡ଼ିଥିବା ଜଣାପଡ଼ିଛି।

Share