ନବଜାତ ଶିଶୁ ବିକ୍ରି ସନ୍ଦେହ: ପଚାରିବାରୁ ମାରିଦେବାକୁ ଧମକ ଦେଲେ ମା’

ନୂଆଗାଁ,୨ା୧୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାପ୍ତାପଲୀ ପଞ୍ଚାୟତ ତଥା ଓଡଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଧୀନ ବେତନଟୀ ଗ୍ରାମର ଜଣେ ବିଧବା ମହିଳା ବାହାଡାଝୋଲା ଡାକ୍ତରଖାନାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ସୁଦ୍ଧା ଖାଲି ହାତରେ ଗ୍ରାମକୁ ଫେରିଥିଲେ। ନବଜାତ ଶିଶୁକୁ ବିକ୍ରି କରିଥିବା ସନ୍ଦେହ କରି ଗ୍ରାମବାସୀ ଏ ବିଷୟରେ ମହିଳାଙ୍କୁ ପଚାରିଥିଲେ। ହେଲେ ମହିଳା ଜଣକ ଏହାର ଉତ୍ତର ଦେବା ପରିବର୍ତ୍ତେ ବୋମା ପକାଇ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ଗ୍ରାମବାସୀ ଶୁକ୍ରବାର ଫାଣ୍ଡି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
ବେତନଟୀ ଗ୍ରାମର ଜଣେ ମହିଳାଙ୍କ ସ୍ବାମୀ ଦୁଇବର୍ଷ ହେଲା ଆରପାରିକୁ ଚାଲି ଯାଇଛନ୍ତି। ବିଧବା ହୋଇ ଏକାକୀ ରହୁଥିବାବେଳେ ସେ ଗର୍ଭବତୀ ହୋଇଥିଲେ। ଗ୍ରାମର ମହିଳାମାନେ ଏହା ଜାଣିପାରି ତାଙ୍କୁ ପଚାରିବାରୁ ସେ ପେଟରେ ଟ୍ୟୁମର ହୋଇଛି ଅପରେସନ ହେବି ବୋଲି କହିଥିଲେ। ଏପରିସ୍ଥଳେ ବିଧବା ମହିଳା ଗତ ୧୯ ତାରିଖ ସକାଳେ ବାହାଡାଝୋଲା ଡାକ୍ତରଖାନାକୁ ଆସି ଆଡମିଶନ ହୋଇଥିଲେ। ଡାକ୍ତରଖାନାର ଡାକ୍ତର ରିତେଶ ବଳିୟାରସିଂ ଓ ନର୍ସ ଗୀତାଞ୍ଜଳି ପତିଙ୍କ ସୂଚନା ଏବଂ ରେଜିଷ୍ଟର ମୁତାବକ ମହିଳା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ, ଯାହାର ଆଇପିଡି ରେ.ନଂ. ୭୦ ଓ ଓପିଡି ରେ.ନଂ.୧୭୮୦୦। ଖବର ପାଇ ଗ୍ରାମର କିଛି ମହିଳା ଦେଖିବାକୁ ଆସିଥିଲେ ମଧ୍ୟ ସେମାନଙ୍କୁ ଶିଶୁଟିକୁ ଦେଖାଇବା ପାଇଁ ନର୍ସ ପତି ମନା କରିଦେଇଥିଲେ। ପରେ ମହିଳା ଖାଲି ହାତରେ ଗ୍ରାମକୁ ଫେରିଥିଲା ବେଳେ ଗ୍ରାମବାସୀ ଶିଶୁ ବିଷୟରେ ପଚାରିବାରୁ ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରି କି ବୋମା ପକାଇ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ବେତନଟୀ ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଶୁକ୍ରବାର ବାହାଡାଝୋଲା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କଠାରୁ ଫାଣ୍ଡି ଅଧିକାରୀ ବୃନ୍ଦାବନ ସାହୁ ଅଭିଯୋଗ ଶୁଣୁଥିବା ବେଳେ ଗ୍ରାମରକ୍ଷୀ ଯୁଧିଷ୍ଠିର ନାୟକ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ । ସେ କହିବା ଅନୁସାରେ ଦୁଇଜଣ ଡାକ୍ତରଖାନା କର୍ମଚାରୀ ଓ ବିଧବା ମହିଳା ମିଶି ମୂଲଚାଲ କରି କନ୍ୟା ସନ୍ତାନକୁ ଛଅ ହଜାର ଟଙ୍କାରେ ବିକ୍ରି କରିଦେଇଛନ୍ତି। ବର୍ତ୍ତମାନ ଶିଶୁଟି ଭଲରେ ଅଛି। ଅଭିଯୋଗ ବିଷୟରେ ସେ ଓଡଗାଁ ଆଇଆଇସିଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଫାଣ୍ଡି ଅଧିକାରୀ ସାହୁ। ଶିଶୁ ବିକ୍ରି ବିଷୟରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ଜଣେ ଅଜଣା ବ୍ୟକ୍ତି ପିଲା ଜନ୍ମ କରିଥିବା କଥା ଜାଣିଛି। କିନ୍ତୁ ଶିଶୁ ବିକ୍ରି ବିଷୟରେ ଖବର ପାଇନି। ଏହାର ତଦନ୍ତ କରିବେ ବୋଲି ସେ କହିଛନ୍ତି।

Share