Categories: ମେଟ୍ରୋ

ନବନିର୍ମାଣ କୃଷକ ସଂଗଠନର ଆଇନଅମାନ୍ୟ ଆନ୍ଦୋଳନ: ରାଜଧାନୀରେ ଚାଷୀ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର,୧୦ା୧(ବ୍ୟୁରୋ): କାଳିଆ ଯୋଜନାକୁ ନେଇ ଗତ ଡ଼ିସେମ୍ବର ୨୬ରୁ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚାଷୀଙ୍କ ସହ ଅନଶନରେ ବସିଥିଲେ। ସରକାର ଦାବି ପୂରଣ ନ କରିବାରୁ ଗୁରୁବାର ଚାଷୀମାନେ ଆଇନ ଅମାନ୍ୟ ଆନ୍ଦୋଳନ କରିଥିଲେ। ରାଜ୍ୟର କୋଣ ଅନୁକୋଣରୁ ମହିଳା ଓ ପୁରୁଷ ଚାଷୀମାନେ ବିଭିନ୍ନ ଦିଗରୁ ରାଜଧାନୀକୁ ପଶିଥିଲେ। କାଳିଆ ଯୋଜନା କାହିଁକି ବନ୍ଦ ହେଲା, ଚାଷୀଙ୍କୁ ଦେଇଥିବା କାଳିଆ ଟଙ୍କାର ପ୍ରତିଶ୍ରୁତି କୁଆଡ଼େ ଗଲା ଆଦି ା ନାରା ଦେଇ ରାଜଧାନୀ ରାଜରାସ୍ତାରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସର ସୁରକ୍ଷା ବଳୟକୁ ଭେଦକରି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନକୁ ଘେରାଉ କରିବା ସହ ଭିତରକୁ ଧସେଇ ପଶିଥିଲେ। କେତେଜଣ ଚାଷୀ ତଳେ ଶୋଇ ରହି ନାନା ସ୍ଲୋଗାନ ଦେଇଥିଲେ। ଶେଷରେ କ୍ୟାପିଟାଲ ଥାନା ପୋଲିସ ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା ଓ ଚାଷୀଙ୍କୁ ଗିରଫ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ଅନ୍ୟପକ୍ଷରେ ଜଟଣୀ-ସୁନ୍ଦରପଦା ରାସ୍ତାର ବୀରବନ୍ଧସ୍ଥିତ ସଂଗଠନର ରାଜ୍ୟ କାର୍ଯ୍ୟାଳୟରୁ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ଚାଷୀ ଶୋଭାଯାତ୍ରା ନବୀନ ନିବାସ ଅଭିମୁଖେ ବାହାରିଥିଲା। ଶୋଭାଯାତ୍ରା ଏୟାରଫିଲ୍‌ଡ ଥାନା ସମ୍ମୁଖରେ ପହଞ୍ଚତ୍ବା ମାତ୍ରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ଚାଷୀ ଓ ପୋଲିସ ମଧ୍ୟରେ ବହୁ ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ଏ ସମ୍ପର୍କରେ ଅକ୍ଷୟ କୁମାର କହିଥିଲେ, ଆଗାମୀ ମେ’ରେ ସଙ୍ଗଠନ ତରଫରୁ ଯେଉଁ ମହାସଂଗ୍ରାମ ଆରମ୍ଭ ହେବ, ସେଥିପାଇଁ ସାଙ୍କେତିକ ଯୁଦ୍ଧ ଏବେଠୁ ଆରମ୍ଭ ହୋଇଛି। ଆନ୍ଦୋଳନ ସମୟରେ ଚାଷୀନେତା ସ୍ନେହାଂଶୁ ଜେନା, ଦୁର୍ଗା ବାରିକ, ପ୍ରସନ୍ନ କୁଅଁର, ସୁରେଶ ଚନ୍ଦ୍ର ମାନସିଂହ, ଦେବୀ ପ୍ରସାଦ ମହାରଣାଙ୍କ ନେତୃତ୍ୱରେ ଆସିଥିବା ଚାଷୀଙ୍କୁ ପୋଲିସ ଗିରଫ କରିଥିଲା। ସନ୍ଧ୍ୟାରେ ପୋଲିସ ସମସ୍ତ ଚାଷୀଙ୍କୁ ଛାଡି ଦେଇଥିବା ସୂଚନା ମିଳିଛି।

Share