Categories: ପୁରୀ

ନବବଧୂ ହତ୍ୟା ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବି: ଥାନା ସମ୍ମୁଖରେ ବାପଘର ଗ୍ରାମବାସୀଙ୍କ ଧାରଣା

କୃଷ୍ଣପ୍ରସାଦ,୭ା୭(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଶିଆଳଗାଁରେ ଅଧିକ ଯୌତୁକ ଦାବି କରି ମାମାଲି ପଲେଇ ନାମକ ଜଣେ ନବବଧୂଙ୍କୁ ଶ୍ୱଶୁର ଘର ପରିବାର ତରଫରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଚଳିତ ମାସ ୧ ତାରିଖରେ ଉକ୍ତ ଘଟଣା ଘଟିଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ମୋରଡ଼ା ନୂଆଗାଁ ଗ୍ରାମସ୍ଥିତ ମୃତକାଙ୍କ ବାପଘର ପରିବାର ଓ ଗ୍ରାମବାସୀ ପକ୍ଷରୁ ଉତ୍ତେଜନା ସୃଷ୍ଟିହୋଇଛି। ତେଣୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ, ବିବାହ ସମୟରେ ଦିଆଯାଇଥିବା ସମସ୍ତ ଯୌତୁକ ଅର୍ଥ ଓ ସାମଗ୍ରୀ ଫେରସ୍ତ ଦାବି ନେଇ ରବିବାର ମୋରଡା ନୂଆଗାଁର ଶତାଧିକ ମହିଳା, ପୁରୁଷ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତିି ା ସୂଚନାଯୋଗ୍ୟ କି, ମାମାଲିଙ୍କ ଶାଶୁ, ଶ୍ୱଶୁର ଓ ସ୍ବାମୀଙ୍କ ନାମରେ କୃଷ୍ଣପ୍ରସାଦ ଥାନାରେ ହତ୍ୟା ଅଭିଯୋଗ ହୋଇଥିଲା। ମୃତକାଙ୍କ ଦାଦା ସଠିଆ ପ୍ରଧାନ ଏବଂ ମା’ ସରୋଜିନୀ କହିଛନ୍ତି, ଅଭିଯୁକ୍ତଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଆମେ ଧାରଣାରୁ ଉଠିବୁ ନାହିଁ ା ଏ ସମ୍ପର୍କରେ କୃଷ୍ଣପ୍ରସାଦ ଥାନା ସବ୍‌ଇନିସପେକ୍ଟର ନାରାୟଣ ପ୍ରଧାନଙ୍କୁ ପଚାରିବାରୁ ବର୍ତ୍ତମାନ ପରିସ୍ଥିତିରେ ସେ କିଛି ଉତ୍ତର ଦେବାକୁ ଇଚ୍ଛା ପ୍ରକାଶ କରି ନ ଥିବା ଜଣାପଡ଼ିଛି।