ନବରଙ୍ଗପୁର, ଉମରକୋଟ ସହରରେ ଲକ୍‌ଡାଉନ୍‌: ୨୯ ପର୍ଯ୍ୟନ୍ତ ଏହା ଜାରି ରହିବ

ନବରଙ୍ଗପୁର,୨୩।୩(ବି.ପ୍ର.): ମହାମାରୀ କରୋନା ଭାଇରସ୍‌ରୁ କିଭଳି ମୁକ୍ତି ମିଳିବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଜନତା କର୍ଫ୍ୟୁ ପରେ ସୋମବାରଠାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ନବରଙ୍ଗପୁର ଓ ଉମରକୋଟ ପୌରାଞ୍ଚଳରେ ଲକ୍‌ଡାଉନ୍‌ କରାଯାଇଛି। ବିଦ୍ୟୁତ୍‌ ଯୋଗାଣ, ଏଟିଏମ୍‌, ଡାକସେବା, ପେଟ୍ରୋଲ ପମ୍ପ, ଗ୍ୟାସ ଏଜେନ୍ସି, ପାନୀୟ ଯୋଗାଣ ସଂସ୍ଥା, ପୌରସେବା ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ଔଷଧ ଦୋକାନ, ଥାନା, ମେଡିକାଲ, କ୍ଷୀର, ପରିବା ବଜାର, ମାଛ, ମାଂସ ଓ ଅଣ୍ଡା ଦୋକାନ, ଗଣମାଧ୍ୟମ ଆଦି ଖୋଲା ରହିବ। ରେଷ୍ଟୁରାଣ୍ଟ ଖୋଲାରହିବ ମାତ୍ର ପାର୍ସଲ ଯୋଗେ ଘରେ ପହଞ୍ଚାଯିବ। ନବରଙ୍ଗପୁର ପୌରସଂସ୍ଥା ପକ୍ଷରୁ ରବିବାର ରାତି ୧୦ଟାରେ ଏକ ଜରୁରୀ ବୈଠକ କରାଯାଇଥିଲା। ଜିଲାପାଳ ଡଃ. ଅଜିତ କୁମାର ମିଶ୍ର ଓ ଏସ୍‌ପି ନୀତିନ୍‌ କୁସଲକର ଏନେଇ ସୂଚନା ଦେଇଛନ୍ତି। ଅଟୋଗୁଡ଼ିକ କେବଳ ବସ୍‌ଷ୍ଟାଣ୍ଡ ଓ ଡାକ୍ତରଖାନା ଯାଇ ପାରିବେ। ୩ ରୁ ଅଧିକ ଯାତ୍ରୀ ପରିବହନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ା ଜିଲାରେ ୧୪୪ ଧାରା ଜାରି ରହିଛି। ବସ୍‌ଗୁଡିକରେ ସିଟ୍‌ ଅନୁଯାୟୀ ଯାତ୍ରୀ ପରିବହନ କରିବେ। ତାହାଠାରୁ ଅଧିକ ଯାତ୍ରୀ ପରିବହନ ହେଲେ ବସଗୁଡିକ ଅଟକାଇ ଦିଆଯିବ। ବୈଠକରେ ନବରଙ୍ଗପୁର ଜିଲା ବଣିକ ସଂଘ, ବସ୍‌ ମାଲିକ, ଅଟୋଚାଳକ, ଟ୍ରକ ମାଲିକ, ମିଲ୍‌ ମାଲିକ ସଂଘ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ନିମାଇ ଚରଣ ସୂତାର, ଉପଜିଲାପାଳ ଭାସ୍କର ରଇତୋ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ, ପୌର ନିର୍ବାହୀ ଅଧିକାରୀ ବିନୟ କୁମାର ପଟେଲ, ଜିଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗଇପୋଇ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।