ନବରଙ୍ଗପୁର ଜିଲାପାଳଙ୍କ ମାନବିକତା: ରାସ୍ତାରୁ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ

ନବରଙ୍ଗପୁର, ୬।୮(ବି.ପ୍ର.): ଦୁର୍ଘଟଣାରେ ରାସ୍ତା କଡରେ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ ଜଣେ ଯୁବ ଚାଷୀ। କଥା ମଧ୍ୟ କହି ପାରୁ ନ ଥିଲେ। ଉକ୍ତ ରାସ୍ତାରେ ନବରଙ୍ଗପୁର ଜିଲାପାଳ ଅଜିତ କୁମାର ମିଶ୍ର ଏହି ସମୟରେ ଯାଉଥିବା ବେଳେ ଏହା ଦେଖି ଚାଷୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଜିଲାପାଳଙ୍କ ମାନବିକତା ଯୋଗୁ ଜଣେ ଯୁବଚାଷୀଙ୍କ ଜୀବନ ବଞ୍ଚି ପାରିଛି।

ନବରଙ୍ଗପୁର ଜିଲା ସଦର ବ୍ଲକ ଅଧୀନ ସାନମସିଗାଁ ପଞ୍ଚାୟତ ସଦର ମହକୁମାଠାରେ ଜିଲାସ୍ତରୀୟ ଅଧିକାରୀଙ୍କୁ ନେଇ ସୋମବାର ଏକ ଜନଶୁଣାଣି କାର୍ଯ୍ୟକ୍ରମ ରହିଥିଲା। ଅପରାହ୍ନ ୪ଟାରେ ଜିଲାପାଳ ସାନମସିଗାଁ ଯାଉଥିଲେ। କୋଡିଙ୍ଗା – ସାନମସିଗାଁ ରାସ୍ତାର ଛକ ନିକଟରେ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ। ପାଟିରୁ ରକ୍ତ ସ୍ରାବ ହେଉଥିଲା। କଥା କହି ପାରୁନଥିଲେ। ଜିଲାପାଳ ଏହା ଦେଖି ଡ୍ରାଇଭରଙ୍କୁ ତୁରନ୍ତ ଗାଡି ଅଟକାଇବାକୁ କହିଥିଲେ। ଷ୍ଟ୍ରେଚର ମଗାଇ ଏକ ଅଟୋରେ ତୁରନ୍ତ ସାନମସିଗାଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବାର କିଛି ସମୟ ପରେ ସେ କଥା କହିଥିଲେ। ତାଙ୍କ ନାମ ଗୋବିନ୍ଦ ମାଝି। ଘର ଦେବରାଗୁଡାରେ । ସେ ଭାଟିଗାଁରେ ଘର ଜ୍ୱାଇଁ ଭାବେ ରହୁଛନ୍ତି ବୋଲି କହିଥିଲେ। ପରିବା, ଆଖୁ, ଧାନ ଚାଷ କରି ଯାହା ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ଗୁଜରାଣ କରୁଛନ୍ତି। ସେ ନବରଙ୍ଗପୁର ସାପ୍ତାହିକ ହାଟରୁ ଭେଣ୍ଡି ବିକ୍ରି କରି ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ା ତେବେ କିଭଳି ଦୁର୍ଘଟଣା ଘଟିଲା ସେ ସମ୍ପର୍କରେ ସେ କିଛି କହି ପାରି ନ ଥିଲେ। ଜିଲାପାଳ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ବ୍ୟବସ୍ଥା କରିଥିିଲେ। ଆଶା କର୍ମୀ ରାଇମତି ଭତ୍ରାଙ୍କ ମାଧ୍ୟମରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଅଧିକ ଚିକିତ୍ସା ଆବଶ୍ୟକ ପଡିଲେ ବଡ ଡାକ୍ତରଖାନା ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ଡାକ୍ତରଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଜିଲାପାଳଙ୍କ ଯୋଗୁ ଗୋବିନ୍ଦଙ୍କ ଜୀବନ ବଞ୍ଚିଗଲା ବୋଲି ପରିବାର ଲୋକ କହିଛନ୍ତି।

Share