ନବରଙ୍ଗପୁର ଜିଲା ଚାଷୀଙ୍କ ଉନ୍ନତି ପାଇଁ ନୂତନ କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବିନିଯୋଗ ହେବ ୫.୨୧ କୋଟି

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଉଦ୍ଦେଶ୍ୟରେ ବୁଧବାର ରାଜ୍ୟ ସରକାର ଏକ ପାଇଲଟ୍‌ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ବିଶେଷକରି ନବରଙ୍ଗପୁର ଜିଲାରେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ଚାଷୀ ଓ ଗରିବ ଲୋକଙ୍କ ସାମାଜିକ ତଥା ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଆଣିବା ଲାଗି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏଥିଲାଗି ୫.୨୧କୋଟି ଟଙ୍କା ବିନିଯୋଗ ହେବ।

କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ଓ ଚାଷର ଉନ୍ନତି ଲାଗି ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ଚାଷକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ। ଏହାଦ୍ୱାରା ଜିଲାର ଉଦ୍ୟାନ କୃଷି, ମତ୍ସ୍ୟ ଓ ଅନ୍ୟ ଜଳଜୀବ ଚାଷ, କୁକୁଡ଼ା ଓ ପଶୁପାଳନ, ସୁଗନ୍ଧିତ ତୈଳ ଉତ୍ପାଦନ ଆଦି କ୍ଷେତ୍ରରେ ଚାଷୀଙ୍କର ଦକ୍ଷତା ଓ ରୋଜଗାର ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଏଥିଲାଗି ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ସହ କେନ୍ଦ୍ର ସରକାରଙ୍କ ୧୨ ଗବେଷଣା ଓ ବିକାଶ ସଂସ୍ଥା ସହଯୋଗ କରୁଛନ୍ତି। ଏହାଦ୍ୱାରା ଉଚ୍ଚ ଅମଳକ୍ଷମ ଫଳ ଓ ପନିପରିବା ଚାଷ, ବ୍ୟବସାୟିକ ନର୍ସରୀ ପ୍ରତିଷ୍ଠା, ବିଭିନ୍ନ ହସ୍ତଶିଳ୍ପ ପଦାର୍ଥ ଉତ୍ପାଦନ, ମତ୍ସ୍ୟ ଉତ୍ପାଦନ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡ଼ିଛି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷି ମନ୍ତ୍ରୀ ଅରୁଣ ସାହୁ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗ ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ। ଏଥିସହ ଜିଲାର ଏମ୍‌ପି, ବିଧାୟକ ଓ ଚାଷୀମାନେ ଉପସ୍ଥିତ ଥିଲେ।