ନବାନ୍ନ ଉତ୍ସବ: ୧୦ହଜାର ସାଧୁ, ଶ୍ରଦ୍ଧାଳୁଙ୍କ ସମାଗମ

ଢେଙ୍କାନାଳ ଅଫିସ, ୨ା୯ମହିମାଧର୍ମର ପ୍ରମୁଖ ପୀଠସ୍ଥଳୀ ଯୋରନ୍ଦା ମହିମାଗାଦିରେ ରବିବାର ନବାନ୍ନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୧୦ ହଜାରରୁ ଊର୍ଦ୍ଧ୍ୱ ସାଧୁସନ୍ଥ ଏଥିରେ ସାମିଲ ହୋଇଥିବାବେଳେ ଅଲେଖ ମହିମା ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।
ପାରମ୍ପରିକ ନୀତି ଅନୁଯାୟୀ, ଭାଦ୍ରବ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ନବାନ୍ନ ଭୋଗ ଲାଗି ହୋଇଥିଲା। ନୂଆଧାନ ଚୁଡ଼ାରେ ଗୁଡ଼, ନଡ଼ିଆ, କଦଳୀ, କ୍ଷୀର, ଦହି, ଫଳ ମିଶାଇ ଏହାକୁ ପ୍ରସ୍ତୁତ କରାଯାଇଥିଲା। ପ୍ରାତଃ ୪ଟାରେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ପ୍ରସାଦ ଅର୍ପଣ କରାଯାଇଥିଲା। ତ୍ୟାଗୀ, ବୈରାଗୀମାନେ ନୂତନ ଗୈରିକ ବସ୍ତ୍ର ପିନ୍ଧି ନବାନ୍ନ ଅର୍ପଣ କରିଥିଲେ। ବକ୍‌କଳ, କୌପିନଧାରୀ ସାଧୁ ସମେତ ବହୁ ତ୍ୟାଗୀସନ୍ନ୍ୟାସୀ ଜଗତ କଲ୍ୟାଣ କାମନା କରିଥିଲେ। ଭଲ ଫସଲ ଉତ୍ପାଦନ, ଶ୍ୟାମଳିମା ଧରଣୀ ସହ ସଚରାଚର ପ୍ରାଣୀଙ୍କ ସୁଖସମୃଦ୍ଧି ଉଦ୍ଦେଶ୍ୟ ରଖି ଶୂନ୍ୟପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ପୂର୍ବାହ୍ନରେ ଆଶ୍ରମମଣ୍ଡଳ ଭିକ୍ଷା ଭଣ୍ଡାରରେ ନବାନ୍ନ ପ୍ରସ୍ତୁତ କରାଯାଇଥିଲା। ମହିମା ସାଧୁ, ଭକ୍ତମାନେ ଏକାଠି ବସି ପ୍ରସାଦ ସେବନ କରିଥିଲେ।
ଏ ନେଇ ସତ୍ୟ ମହିମା ଧର୍ମଧାମ ପରିଚାଳନା ସମ୍ପାଦକ ସାଧୁ ନିତ୍ୟାନନ୍ଦ ବାବା କୁହନ୍ତି, ଦୀର୍ଘ ବର୍ଷ ହେଲା ନବାନ୍ନ ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ପ୍ରସ୍ତୁତ ନବାନ୍ନକୁ ମହିମା ଗୋସାଇଁଙ୍କ ନିକଟରେ ଅର୍ପଣ କରାଯିବା ପରେ ଜଗତକଲ୍ୟାଣ କାମନା କରାଯାଇଥିଲା। ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବିଭିନ୍ନ ଜିଲାରୁ ସହସ୍ରାଧିକ ସାଧୁସନ୍ଥ ପୀଠକୁ ଆସିଥିବା ସେ ସୂଚନା ଦେଇଛନ୍ତି।

Share