Categories: ଗଞ୍ଜାମ

ନବୀକରଣ ନ ହୋଇ ଓଜନ, ମାପ ଯନ୍ତ୍ର ବ୍ୟବହାର:୨ ବ୍ୟାଙ୍କ ଦେଲେ ଜରିମାନା, ଗୋଟିଏକୁ ନୋଟିସ

ଭଞ୍ଜନଗର/ସୋରଡ଼ା,୨୩।୭(ଡି.ଏନ.ଏ)-ଘରୋଇ ଓ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକରେ ଓଜନ ମାପ ଯନ୍ତ୍ରଗୁଡ଼ିକ ନବୀକରଣ ନ ହୋଇ ବ୍ୟବହାର ହେଉଛି । ସେହିପରି କେତେକ ବ୍ୟାଙ୍କ ଆଇଏସ୍‌ଓ ମାନ୍ୟତାପ୍ରାପ୍ତ ଓଜନ ମାପ ଯନ୍ତ୍ର ବ୍ୟବହାର କରୁନାହାନ୍ତି। ଏ ସମ୍ପର୍କରେ ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କ ନିକଟକୁ ଅଭିଯୋଗ ଆସିଥିଲା। ତେଣୁ ତାଙ୍କ ନିର୍ଦ୍ଦେଶକ୍ରମେ ସୋମବାର ସୋରଡ଼ା ଓ ବଡ଼ଗଡ଼ରେ ଥିବା ୩ଟି ବ୍ୟାଙ୍କ ଉପରେ ଅଚାନକ ଚଢ଼ାଉ କରାଯାଇ ଓଜନ ଓ ମାପ ଯନ୍ତ୍ର ଯାଞ୍ଚ କରାଯାଇଥିଲା। ୨ଟି ରାଷ୍ଟ୍ରାୟତ ବ୍ୟାଙ୍କ ଓଜନ ଯନ୍ତ୍ର ନବୀକରଣ କରି ନ ଥିବା ଜଣାପଡ଼ିଥିଲା। ଏ ବାବଦରେ ରାଜ୍ୟ ସରକାର ଅନେକ ରାଜସ୍ବ ହରାଇଛନ୍ତି । ତେଣୁ ୨ ବ୍ୟାଙ୍କରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଅନ୍ୟ ଏକ ବ୍ୟାଙ୍କ ଆଇଏସଓ ମାନ୍ୟତାପ୍ରାପ୍ତ ଓଜନ ମାପ ଯନ୍ତ୍ର ବ୍ୟବହାର କରି ନ ଥିବା ଯୋଗୁ ୧୦ ହଜାର ଟଙ୍କା ଜରିମାନା ଦେବାପାଇଁ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଛି। ଚଢ଼ାଉ ସମ୍ପର୍କରେ ଜଣାପଡ଼ିବା ପରେ ଉପଖଣ୍ଡର ଅନ୍ୟ କେତେକ ବ୍ୟାଙ୍କ ପକ୍ଷରୁ ତୁରନ୍ତ ଓଜନ ମାପ ଯନ୍ତ୍ରକୁ ନବୀକରଣ ପାଇଁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ବ୍ୟାଙ୍କ ପରେ ଯାଞ୍ଚ ଟିମ୍‌ ସୋରଡ଼ା ବ୍ଲକର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଚଢ଼ାଉ କରି ପେଟ୍ରୋଲର ମାନ ଓ ଅନ୍ୟାନ୍ୟ ଯାଞ୍ଚ କରିଥିଲେ। ସୋରଡ଼ା ତହସିଲଦାର ଅମର କୁମାର ବସନ୍ତରାୟ, ଅତିରକ୍ତ ତହସିଲଦାର କୁରେଶ ଚନ୍ଦ୍ର ଜାନୀ, ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାସ, ନିରୀକ୍ଷକ ବିଶ୍ୱଜିତ ପଣ୍ଡା ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ ବୋଲି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।