ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ପିନାକୀ: ମୁଖ୍ୟମନ୍ତ୍ରୀଙ୍କ ୨୧ ଲୋକ ସଭା ଜିତିବା ପ୍ରଶ୍ନର ଉତ୍ତରରେ କହିଲେ ଶାହଙ୍କୁ ୧୨୦+ ମିଶନ ନେଇ ପ୍ରଥମେ ପ୍ରଶ୍ନ କରାଯାଉ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପୁରୀ ଜିଲାର ୬ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ବିଜେଡି ୪ଟିରେ ବିଜୟୀ ହୋଇଥିବା ବେଳେ ୨ଟି ଭାଜପା ହାତକୁ ଯାଇଛି। ପୁରୀ ଓ ବ୍ରହ୍ମଗିରି ବିଧାନସଭା ଭାଜପା ହାତକୁ ଯାଇଛି। ହେଲେ ପୁରୀ ଲୋକ ସଭା ଆସନରୁ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ଜିତିଛନ୍ତି। ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦୀ ସମ୍ବିତ ପାତ୍ରଙ୍କୁ ୧୩ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ହରାଇଛନ୍ତି। ତେବେ ଶୁକ୍ରବାର ପିନାକୀ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏହା ପରେ ସେ ଗଣମାଧ୍ୟମ ପ୍ରତିିନିଧିଙ୍କ ପ୍ରଶ୍ନର ଜବାବ ରଖିଥିଲେ।

ପୁରୀ ଓ ବ୍ରହ୍ମଗିରି ବିଧାନସଭା ଆସନରେ ମହେଶ୍ୱର ମହାନ୍ତି ପରାଜିତ ହେବାକୁ ନେଇ ସେ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ। ଦଳ ପୁଣି ଥରେ ପୁରୀରେ ତୃଣମୂଳସ୍ତରରେ କାମ କରି ନିଜକୁ ସୁଦୃଢ଼ କରିବ। ସେହିଭଳି ବ୍ରହ୍ମଗିରିରେ ମଧ୍ୟ ଦଳ ପୂର୍ବସ୍ଥିତି ଫେରିବା ଲାଗି ଚେଷ୍ଟା କରିବ। ତେବେ କଂଗ୍ରେସ ପୁରୀରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହୋଇଥିଲା ବୋଲି ସେ କହିଛନ୍ତି।

ଏହାଛଡ଼ା ନବୀନଙ୍କ ୨୧ ଲୋକ ସଭା ଆସନ ଜିତିବା ମନ୍ତବ୍ୟ ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରାଜନୀତିରେ ସବୁ ସମ୍ଭବ। ତେବେ ପ୍ରଥମେ ଭାଜପାର ୧୨୦+ ମିଶନକୁ ନେଇ ଅମିତ ଶାହଙ୍କୁ ପ୍ରଶ୍ନ କରାଯିବା ଉଚିତ ବୋଲି ସେ କଟାକ୍ଷ କରି କହିଛନ୍ତି।

Share