ନବୀନଙ୍କ ଘୋଷଣା: ବିଜେପୁରରୁ ପୁଣି ଲଢ଼ିବେ ରୀତା ସାହୁ

ଭୁବନେଶ୍ୱର,୨୮।(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଶନିବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଥିବା ନେଇ ଘୋଷଣା କରିଛନ୍ତି।

ରୀତା ବିଜେପୁରର ଲୋକପ୍ରିୟ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ। ସୁବଳଙ୍କ ପରଲୋକ ପରେ ସେ ବିଜେଡିରେ ସାମିଲ ହୋଇଥିଲେ। ୨୦୧୮ରେ ବିଜେଡି ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେ ବିପୁଳ ଭୋଟରେ ବିଜୟୀ ମଧ୍ୟ ହୋଇଥିଲେ। ଏଣୁ ୨୦୧୯ରେ ଦଳ ତାଙ୍କୁ ବିଜେପୁରରୁ ପ୍ରାର୍ଥୀ କରିପାରେ ବୋଲି ଆଶା କରାଯାଉଥିଲା। ହେଲେ ନବୀନ ବିଜେପୁରରୁ ପ୍ରାର୍ଥୀ ହେବା ପରେ ସମସ୍ତ କଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଶେଷରେ ନିର୍ବାଚନରେ ୫୦ହଜାରରୁ ଊର୍ଦ୍ଧ୍ୱ ଭୋଟରେ ନବୀନ ବାଜିମାତ୍‌ କରିିଥିଲେ। ମାତ୍ର ପରବର୍ତ୍ତୀ ସମୟରେ କେବଳ ହିଞ୍ଜିଳି ଆସନଟିକୁ ରଖି ସେ ବିଜେପୁରରୁ  ଇସ୍ତଫା ଦେଇଥିଲେ। ଫଳରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା।

ପ୍ରକାଶଯୋଗ୍ୟ, ପୂର୍ବରୁ କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭାଜପା ଏଯାବତ୍‌ ପ୍ରାର୍ଥୀ ଘୋଷଣା କରିନାହିଁ।

Share