ଭୁବନେଶ୍ୱର,୨୮ା୫(ବ୍ୟୁରୋ): ୨୦୧୯ ମେ’ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପଞ୍ଚମଥର ରାଜ୍ୟ ଶାସନର ଡୋରି ଧରିଥିଲେ । ଶୁକ୍ରବାର ବିଜେଡି ସରକାରର ପଞ୍ଚମ ପାଳିକୁ ବର୍ଷେ ପୂରଣ ହେବ। ଚଳିତ ବର୍ଷ ବିଜେଡି ପାଇଁ ସଂଘର୍ଷର ବର୍ଷ। ଆର୍ଥିକ ମାନ୍ଦବାସ୍ଥା ସାଙ୍ଗକୁ କୋଭିଡ-୧୯ ମହାମାରୀ ସଂକ୍ରମଣ ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଲୋକଙ୍କ ଜୀବନ ଓ ସ୍ବାସ୍ଥ୍ୟ ରକ୍ଷାକୁ ସରକାର ପ୍ରାଥମିକତା ଦେଇଛନ୍ତି। କୋଭିଡ ଯୁଦ୍ଧରେ ଓଡ଼ିଶା ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ଭଲ ସ୍ଥିତିରେ ରହିଛି। ଆକ୍ରାନ୍ତ ଓ ମୃତ୍ୟୁହାର ଅନ୍ୟ ରାଜ୍ୟ ତୁଳନରେ କମ ରହିଛି। ରାଜ୍ୟ ସରକାରଙ୍କର ଆଗୁଆ ପଦକ୍ଷେପ ଏହି ମହାମାରୀକୁ ରୋକିବାରେ ସକ୍ଷମ ହୋଇଛି। ପଞ୍ଚମପାଳି ଆରମ୍ଭର କେଇ ମାସ ଉପ ନିର୍ବାଚନ ଏବଂ ଦଳୀୟ ସଂଗଠନକୁ ନେଇ ବିଜେଡି ରଣନୀତି ପ୍ରସ୍ତୁତ କରିଥିଲା। ତେବେ ହଠାତ୍ କରୋନା ଭୂତାଣୁ ସଂକ୍ରମଣ ରାଜନୈତିକ କାର୍ଯ୍ୟରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି। କରୋନା ମହାମାରୀରୁ ଲୋକମାନଙ୍କୁ ସୁରକ୍ଷା ଦେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି। କରୋନା ସାଙ୍ଗକୁ ମେ ୨୦ ତାରିଖରେ ଓଡିଶା ଉପକୂଳ ଦେଇ ଅତିକ୍ରମ କରିଥିବା ବାତ୍ୟା ‘ଅମ୍ଫନ’ ମଧ୍ୟ ରାଜ୍ୟ ପାଇଁ ଅନେକ କ୍ଷତ ଦେଇ ଯାଇଛି। ଏ ସବୁକୁ ଭରଣା କରିବା ପାଇଁ ସରକାରଙ୍କୁ ଅନେକ କଠିନ ସମୟ ଦେଇ ଗତିକରିବାକୁ ପଡିବ ବୋଲି ରାଜନୈତିକ ବିଶ୍ଲେଷକ ମତ ଦେଇଛନ୍ତି। ଆମାଗୀ ୨ ବର୍ଷ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିବ। ପରିସ୍ଥିତିକୁ ମୁକାବିଲା କରିବାକୁ ନବୀନ ଆଗାମୀ ବର୍ଷ ପାଇଁ କି ରଣନୀତି ପ୍ରସ୍ତୁତି କରିବେ ଓ ଦଳୀୟ ନେତାଙ୍କୁ କି ବର୍ତ୍ତା ଦେବେ ତାହା ଉପରେ ଏବେ ନଜର।