Categories: ଜାତୀୟ

ନବୀନଙ୍କ ସମେତ ୧୧ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପିନାରାୟୀ ବିଜୟନ୍‌

ଥିରୁଭାନନ୍ଥପୁରମ୍‌,୪ା୧(ପି.ଟି.): ବିବାଦୀୟ ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ରଦ୍ଦ କରିବା ପାଇଁ କେରଳ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବା ପରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଶୁକ୍ରବାର ୧୧ଟି ରାଜ୍ୟର ପ୍ରତିପକ୍ଷଙ୍କୁ ପତ୍ର ଲେଖି ଗଣତନ୍ତ୍ର ଓ ଧର୍ମନିରପେକ୍ଷତାର ସୁରକ୍ଷା ପାଇଁ ଆହ୍ବାନ ଦେଇଛନ୍ତି। ସିଏଏକୁ ନେଇ ସମାଜର ଅଧିକାଂଶ ଗୋଷ୍ଠୀ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିବା ବିଜୟନ୍‌ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଆମ ଗଣତନ୍ତ୍ର ଓ ଧର୍ମନିରପେକ୍ଷତାର ମୂଲ୍ୟବୋଧର ସୁରକ୍ଷା ଓ ସଂରକ୍ଷଣ ଚାହୁଁଥିବା ସମସ୍ତ ଭାରତୀୟ ଏକାଠି ହେବା ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି। ସିଏଏ ବିରୋଧରେ ପଦକ୍ଷେପ ନେବା ପାଇଁ ସେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରମୁଖଙ୍କୁ ପତ୍ର ଲେଖିଛନ୍ତି।
ସୂଚନାଯୋଗ୍ୟ ଗତ ମଙ୍ଗଳବାର କେରଳ ବିଧାନସଭାରେ ସିଏଏ ରଦ୍ଦ ଦାବି ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଶାସକ ସିପିଆଇ(ଏମ୍‌)-ଏଲ୍‌ଡିଏଫ୍‌ ଏବଂ ବିରୋଧୀ ଦଳ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ ପ୍ରସ୍ତାବକୁ ସମର୍ଥନ କରିଥିବାବେଳେ ଭାଜପାର ଏକମାତ୍ର ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ. ରାଜଗୋପାଳ ବିରୋଧ କରିଥିଲେ। କେରଳ ବିଧାନସଭାର ଏହି ପଦକ୍ଷେପକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସମର୍ଥନ ଜଣାଇଛନ୍ତି। ଏହା ଜନତାର ସ୍ବର ଏବଂ କେନ୍ଦ୍ର ଏଥିପ୍ରତି ଧ୍ୟାନଦେବା ଆବଶ୍ୟକ ବୋଲି ଅମରିନ୍ଦର କହିଛନ୍ତି। ଏନେଇ ସେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଖୋଲାଚିଠି ଲେଖି ସିଏଏ ସମ୍ପର୍କରେ ରାଜ୍ୟଗୁଡ଼ିକ ଆଇନଗତ ପରାମର୍ଶ ନେଇଥିବା ଜଣାଇଛନ୍ତି। କେରଳ ଲୋକଙ୍କ ସ୍ବରକୁ ସେମାନଙ୍କ ନିର୍ବାଚିତ ଜନପ୍ରତିନିଧି ପ୍ରସ୍ତାବ ମାଧ୍ୟମରେ ଉପସ୍ଥାପନ କରିଥିବା ଅମରିନ୍ଦର କହିଛନ୍ତି। ପଶ୍ଚିମବଙ୍ଗ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନୂଆ ନାଗରିକତ୍ୱ ଆଇନକୁ ଅସାମ୍ବିଧାନିକ କହିବା ସହ ସେମାନଙ୍କ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି କହିସାରିଛନ୍ତି।

Share