ନବୀନ ନିବାସ ସମ୍ମୁଖରେ ଦିବ୍ୟାଙ୍ଗ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର, ୧୮ା୭(ବ୍ୟୁରୋ): ନ୍ୟାୟ ପାଇଁ ସବୁଠି ନିରାଶ ହେବା ପରେ ଶେଷରେ ଜଣେ ଦିବ୍ୟାଙ୍ଗ ଛାତ୍ର ବୁଧବାର ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ସେଠାରେ ଉପସ୍ଥିତ ପୋଲିସ ଫୋର୍ସ ତାଙ୍କୁ କାବୁ କରିନେଇଥିଲେ। ତାଙ୍କୁ ପଚରାଉଚରା ପରେ ଶେଷରେ ବୁଝାଶୁଝା କରି ଘରେ ଛାଡ଼ିଥିବା ଜଣାପଡିଛି। ଛାତ୍ର ଜଣକ ହେଉଛନ୍ତି କଟକ ଜିଲା ମାହାଙ୍ଗା ମଧୁପୁର ଗ୍ରାମର ରବୀନ୍ଦ୍ର କୁମାର ଦାସ। ଅଭିଯୋଗ ଅନୁସାରେ, ୨୦୦୮ରେ ସେ ରେଭେନ୍‌ଶାରେ ଯୁକ୍ତ୨ ପରୀକ୍ଷା ଦେଇଥିଲେ। ମାତ୍ର ପରୀକ୍ଷା ଫଳ ବାହାରିବା ପରେ ସେ ସଂସ୍କୃତରେ ଫେଲ୍‌ ହୋଇଥିବା ଜାଣିବାକୁ ପାଇଲେ। ଆଡ୍‌ମିଶନ ସମୟରେ ତାଙ୍କୁ ଚତୁର୍ଥ ବା ଇଚ୍ଛାଧିନ ବିଷୟ ଭାବେ ସଂସ୍କୃତ ଦିଆଯାଇଥିଲା। କିନ୍ତୁ ସେ ତାହାକୁ ବଦଳାଇ ଏଜୁକେଶନ ରଖିଥିଲେ। ପରୀକ୍ଷା ପାଇଁ ଯେଉଁ ଆଡ୍‌ମିଟ୍‌ କାର୍ଡ ଦିଆଯାଇଥିଲା ସେଥିରେ ମଧ୍ୟ ଏଜୁକେଶନ ଉଲ୍ଲେଖ ଥିଲା। ଏହି ଅନୁଯାୟୀ ରବୀନ୍ଦ୍ର ପରୀକ୍ଷା ଦେଇଥିଲେ ମଧ୍ୟ ଏଜୁକେଶନ ବିଷୟରେ ଫଳ ବାହାରି ନ ଥିଲା। ଏନେଇ ସେ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିବାକୁ ଯାଇଥିବାବେଳେ ତାଙ୍କୁ ଧକ୍କା ମାରି ବାହର କରିଦିଆଯାଇଥିଲା। ଶେଷରେ ସେ ହାଇକୋର୍ଟ ଓ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ହାଇକୋର୍ଟ ୨୦୦୯ରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କ୍ଷତିପୂରଣ ବାବଦକୁ ୧ ଲକ୍ଷ ୨ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଯାଏ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ ତାଙ୍କ ଫଳ ପ୍ରକାଶ କରୁ ନ ଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ଅଭିଯୋଗ ମଧ୍ୟ ଆଣିଥିଲେ। ହେଲେ ଏଯାଏ କିଛି ବି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଫଳରେ ରବୀନ୍ଦ୍ର ଉଚ୍ଚ ଶିକ୍ଷା ଲାଭ କରିପାରୁ ନାହାନ୍ତି। ସେ ଦିବ୍ୟାଙ୍ଗ ହୋଇଥିବାରୁ ଜୀବନ ବେକାର ହୋଇଯାଇଛି। ନ୍ୟାୟ ପାଇଁ ସବୁଠି ନିରାଶ ହେବା ପରେ ଶେଷରେ ଆତ୍ମହତ୍ୟା ଭଳି ଚରମପନ୍ଥାକୁ ବାଛି ନେଇଥିଲେ ବୋଲି ରବୀନ୍ଦ୍ର କହିଛନ୍ତି।

Share