ନବ ନିର୍ମାଣ କୃଷକ ସଙ୍ଗଠନର ଶୋଭାଯାତ୍ରା

ଜଗତ୍‌ସିଂହପୁର ଅଫିସ, ୧୭ା୧୨: ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ବସ୍‌ଷ୍ଟାଣ୍ଡ ନିକଟରୁ ଟାଉନ ହଲ ପର୍ଯ୍ୟନ୍ତ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ଏଥିରେ କାଳିଆ ଯୋଜନା ନାଁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ହାତେଇ ପରବର୍ତ୍ତୀ ସମୟରେ ଚାଷୀଙ୍କୁ ପ୍ରତାରିତ କରିଥିବା କୁହାଯାଇଥିଲା। ତେଣୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଉ ବୋଲି ଶୋଭାଯାତ୍ରାରେ କର୍ମୀମାନେ ଶ୍ଲୋଗାନ ଦେଇଥିଲେ। କର୍ମକର୍ତ୍ତା କହିଥିଲେ, ସାଧାରଣ ନିର୍ବାଚନ ପୂର୍ବରୁ କାଳିଆ ଯୋଜନାର ଭେଳିକି ଦେଖାଇ ବିଜେଡି ପକ୍ଷରୁ ଭୋଟ ହାତେଇବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ଆଉ ଏଥିରେ ବିଜେଡି ସଫଳ ମଧ୍ୟ ହୋଇଥିଲା। ଚାଷୀ କିଛି ନ ବୁଝି ବିଜେଡି ସପକ୍ଷରେ ଭୋଟ ଦେଇଥିଲେ। ୩ ବର୍ଷରେ ୧୦,୧୮୦ କୋଟି ଟଙ୍କା ବିନିଯୋଗ ହେବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ସବୁ ଘୋଷଣା ପାଣିର ଗାର ହୋଇଛି। କାଳିଆ ଯୋଜନା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସରକାରୀ ବିଜ୍ଞପ୍ତି ଦ୍ୱାରା ସେମାନଙ୍କୁ ୧୦,୧୮୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରି ମାତ୍ର ୬ ମାସ ସରକାର ଭିତରେ ଓହରିଯିବା ଠକେଇ ସଦୃଶ। ସେହିପରି ଠିକଣା ଭାବରେ କାଳିଆ ଯୋଜନାରେ ହିତାଧିକାରୀ ଚୟନ ହୋଇନାହିଁ। ଆଇନ ପ୍ରତ୍ୟେକଙ୍କ ପାଇଁ ସମାନ। ମୁଖ୍ୟମନ୍ତ୍ରୀ ରାଜ୍ୟର ୭୦ ଭାଗ ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା କରିଥିବାରୁ ତାଙ୍କ ନାମରେ ମାମଲା ରୁଜୁ ହେବା ଉଚିତ ବୋଲି କୁହାଯାଇଥିଲା। ସଙ୍ଗଠନ ଜିଲା ଶାଖା ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁଙ୍କ ନେତୃତ୍ୱରେ ଶୋଭାଯାତ୍ରା ଆୟୋଜନ ହୋଇଥିଲା।